ପ୍ରଥମ ଓଡିଶା ଗସ୍ତରେ ଆସି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି ! କହିଲେ ‘ଇସ୍ପାତ ମନ୍ତ୍ରୀ ନଥିଲେ ଥିଲେ ଇସ୍ପାତ ପୁରୁଷ’

67

କନକ ବ୍ୟୁରୋ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଆନନ୍ଦ ଭବନର ଲୋକାର୍ପଣ କରିଛନ୍ତି । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାପରେ ସେ କଟକ ଇନଡୋର ଷ୍ଟାଡିୟମରେ ଆୟୋଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି । ଓଡିଆ ଭାଷାରେ ଦୁଇ ପଦ କହି ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଥମେ ଓଡିଶାର ପବିତ୍ର ମାଟି ଓ ଜନତାଙ୍କୁ ପ୍ରଣାମ ଜଣାଉଛି କହି ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଅଭିଭାଷଣରେ ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । କହିଛନ୍ତି ବିଜୁ ବାବୁ କେବଳ ଇସ୍ପାତ ମନ୍ତ୍ରୀ ନଥିଲେ ସେ ଥିଲେ ଇସ୍ପାତ ପୁରୁଷ । ବିଜୁ ବାବୁଙ୍କ ପେଶାୱାର ସାଇକେଲ ଯାତ୍ରାକୁ ସାହାସିକତାର ଏକ ନିଦର୍ଶନ ବୋଲି କହିଲେ ରାମନାଥ କୋବାନ୍ଦ । ଭାରତ ସ୍ୱାଧିନତା ପାଇଁ ବିଜୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ ।

ramnath kovind

ବିଜୁ ପଟ୍ଟନାୟକ ଯାହା ବି କରୁଥିଲେ ସବୁ କଳିଙ୍ଗ ନାଁରେ କରୁଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହାସହ ଆନନ୍ଦ ଭବନକୁ ନେଇ ଅନେକ କଥା କହିଛନ୍ତି ରାଷ୍ଟ୍ରପତି । କହିଛନ୍ତି ଦେଶକୁ ସ୍ୱାଧିନତା ପାଇଁ ଲଢେଇ ଚାଲିଥିବା ବେଳେ ଦେଶରେ ଦୁଇଟି ଆନନ୍ଦ ଭବନ ଥିଲା । ଗୋଟିଏ ଆହ୍ଲାବାଦରେ ଅନ୍ୟଟି କଟକରେ । ଆନନ୍ଦ ଭବନରେ ସ୍ୱାଧିନତା ପାଇଁ ମନ୍ତ୍ରଣା କରାଯାଇଥିଲା । ଆନନ୍ଦ ଭବନ ଲୋକାର୍ପିତ ହେବା ପରେ ଏହା ପ୍ରତି ଲୋକଙ୍କ ଆକର୍ଷଣ ବଢିବ । ଅଭିଭାଷଣରେ ବିକାଶ ପାଇଁ କେନ୍ଦ୍ରର ଆଭିମୁଖ୍ୟ ଉଲ୍ଲେଖ କଲେ ରାଷ୍ଟ୍ରପତି । କେନ୍ଦ୍ର ବିଭିନ୍ନ ଯୋଜନା ବାବଦରେ କହିବା ସହ ଆଦିବାସୀଙ୍କ ବିକାଶ ପାଇଁ ଓଡିଶାର ଦୁଇଜଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କାମ କରୁଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କଟକ ତୁଳସୀପୁର ଅଂଚଳରେ ଥିବା ଆନନ୍ଦ ଭବନକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ଆନନ୍ଦ ଭବନ କୋଠାଟି ୧୯୩୧ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଆନନ୍ଦ ଭବନ ଆଗାମୀ ପୀଢି ପାଇଁ ଏକ ଦର୍ଶନୀୟ ଓ ସ୍ମୃତି ପୀଠ ହେବାକୁ ଯାଉଛି । ବର୍ତମାନ ଆନନ୍ଦଭବନର ୪ଟି ବଖରାକୁ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ର କରାଯାଇ ଲୋକଙ୍କ ପରିଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି । ଯାହାକୁ ଆଜି ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେପଟେ କଟକ ଇନଡୋର ଷ୍ଟାଡିୟମ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।