ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର ଶକ୍ତି

79

କନକ ବ୍ୟୁରୋ: ଭାରତ ମହାସାଗରରେ ବଢିଲା ଭାରତୀୟ ନୌସେନାର ଶକ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି । ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ ସାମିଲ କରାଯାଇଛି । ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ । ଏହା ନା କେବଳ ନୌସେନାର ସାମରିକ ଶକ୍ତି ବଢାଇଛି, ଜଳପଥରେ ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଭାରତକୁ ଆଗରେ ରଖିଛି ।

ଆଇଏନଏସ୍ ଇମ୍ଫାଲ ହେଉଛି ବିଶାଖପତନମ ଶୈଳୀର ତୃତୀୟ ବିଧ୍ୱସଂକ ଯୁଦ୍ଧ ଜାହାଜ । ଏହି ଯୁଦ୍ଧ ଜାହାଜରୁ ବ୍ରହ୍ମୋସ ମିଜାଇଲ ଉତକ୍ଷେପଣ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ସିନ୍ଦେ ଓ ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ସମାରୋହକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଏବେ ଜଳ ପଥରେ ପୂର୍ବ ଅପେକ୍ଷା ଅଧିକ ଗତିବିଧି ଦେଖିବାକୁ ମିଳିଛି । ଏବେ ଭାରତର ବଢୁଥିବା ସାମରିକ ଶକ୍ତିକୁ ଦେଖି କିଛି ରାଷ୍ଟ୍ର ଇର୍ଷା କରୁଛନ୍ତି । ଲୋହିତ ସାଗରରେ ହୋଇଥିବା ଡ୍ରୋନ ଆକ୍ରମଣକୁ ଭାରତ ବେଶ ଗୁରୁତର ଭାବେ ଗ୍ରହଣ କରିଛି । ଭାରତୀୟ ନୌସେନା ଏବେ ସମୁଦ୍ର ସୁରକ୍ଷା ବଢାଇ ଦେଇଛନ୍ତି । ଯିଏ ଭାରତ ବିରୋଧରେ ଷଡ ଯନ୍ତ୍ରଣ କରିବ କିମ୍ବା ନାଲି ଆଖି ଦେଖାଇବ, ତାକୁ ସମୁଦ୍ର ତଳୁ ମଧ୍ୟ ଖୋଜି ବାହାର କରାଯିବ ବୋଲି ରାଜନାଥ କହିଛନ୍ତି ।