କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଆଜି ଶେଷକୃତ୍ୟ : ଉପସ୍ଥିତ ରହିବେ ପରିବାର ଓ ଘନିଷ୍ଠ ସମ୍ପର୍କୀୟ; ମୁଖାଗ୍ନି ଦେବେ ପୁଅ ଆୟୁଷ୍ମାନ

68

କନକ ବ୍ୟୁରୋ : ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ଆଜି ହେବ ଶେଷକୃତ୍ୟ । ଦିଲ୍ଲୀରେ ତାଙ୍କର ଅନ୍ତିମ ସକ୍ରାର ହେବ ବୋଲି ପରିବାର ତରଫରୁ ସୂଚନା ଦିଆଯାଇଛି । ଦିଲ୍ଲୀର ନିଗମବୋଧ ଘାଟର ଭିଆଇପି ସେକ୍ସନରେ ତାଙ୍କର ଶେଷକୃତ ସମ୍ପନ୍ନ ହେବ । ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କୁ ଦିଆଯିବ ଶେଷ ବିଦାୟ । ଏହି ସମୟରେ ତାଙ୍କ ପରିବାର ଓ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ ।

ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ, ଝିଅ ଅନ୍ତରା ଶ୍ରୀବାସ୍ତବ ଓ ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ଦିଲ୍ଲୀରେ ଅଛନ୍ତି । ବାକି ପରିବାର ସଦସ୍ୟ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଗତ ୪୨ ଦିନ ଧରି ଜୀବନ ସହ ଲଢ଼େଇ କରିବା ପରେ ବୁଧବାର ରାଜୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ପରଲୋକରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟ୍ବିଟ୍‌ କରି କହିଛନ୍ତି, ଅସମୟରେ ହାସ୍ୟ କଳାକାର ରାଜୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦା‌ୟକ। ସେ ତାଙ୍କ ହାସ୍ୟ ଅଭିନୟ ଦ୍ବାରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲେ । ଦେଶରେ କମେଡି ସିନ୍‌କୁ ସେ ଏକ ନୂଆ ପରିଚୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜୁ ଆମ ଜୀବନକୁ ହସ, ମଜା ଏବଂ ସକରାତ୍ମକ ଭାବନା ଦ୍ବାରା ଉଜ୍ଜ୍ବଳ କରିଛନ୍ତି । ସେ ଆମମାନଙ୍କୁ ଖୁବ୍‌ଶୀଘ୍ର ଛାଡ଼ି ଚାଲିଗଲେ । କିନ୍ତୁ ଅଗଣିତ ଲୋକଙ୍କ ହୃଦୟ‌ରେ ସେ ରହିବେ । ବର୍ଷ ବର୍ଷ ଧରି ସେ ଯେଉଁ କାର୍ଯ୍ୟ କରିଥିଲେ ସେଥିପାଇଁ ଧନ୍ୟବାଦ ।

କାନପୁରର ଏକ ମଧ୍ୟବିତ୍ତ ଶ୍ରେଣୀ ପରିବାରରେ ରାଜୁଙ୍କ ଜନ୍ମ। ରାଜୁଙ୍କ ବାପା ସତ୍ୟପ୍ରକାଶ ଶ୍ରୀବାସ୍ତବ ଜଣେ କବି । ୮୦ ଦଶକରୁ ରାଜୁ ମନୋରଂଜନ ଶିଳ୍ପରେ ସକ୍ରିୟ ଅଛନ୍ତି । ୨୦୦୫‌ରେ ‘ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଅଂଶଗ୍ରହଣ କରିବାପରେ ସେ ସର୍ବତ୍ର ପରିଚିତ ହୋଇଥିଲେ । ‘ମୈନେ ପ୍ୟାର କିୟା’, ‘ବାଜିଗର’, ‘ବମ୍ବେ ଟୁ ଗୋଆ’ ଭଳି କେତେକ ହିନ୍ଦୀ ଫିଲ୍ମରେ ସେ ଅଭିନୟ କରିଛନ୍ତି । ରାଜୁ ଶ୍ରୀବାସ୍ତବ ମଧ୍ୟ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।