ପୁଟିନଙ୍କ ପରମାଣୁ ଆକ୍ରମଣ ଧମକକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ସମାଲୋଚନା : କହିଲେ, ୟୁଏନ ଚାର୍ଟରକୁ ଉଲ୍ଲଙ୍ଘନ କରୁଛି ରୁଷ

88

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପୁଣିଥରେ ସାରା ବିଶ୍ୱରେ ହଲଚଲ ସୃଷ୍ଟି କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସାଂଘାଇ କୋପରେସନ୍ ଅର୍ଗାନାଇଜେସନ୍ ବୈଠକରେ ପୁଟିନଙ୍କୁ ମୋଦୀ କହିଥିଲେ, ଏବେ ଯୁଦ୍ଧାର ଯୁଗ ନୁହେଁ । କୁଟନୀତି, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ମୋଦୀ ଗୁରୁତ୍ୱ ଦେଇଥିଲେ । ମୋଦୀଙ୍କ ଏହି ମନ୍ତବ୍ୟକୁ ଉଲ୍ଲେଖ କରି ବାଇଡେନ୍ କହିଛନ୍ତି, ଶକ୍ତି ପ୍ରୟୋଗ କରି ପଡ଼ୋଶୀ ଉପରେ ଜୟଲାଭ କରିହେବନି ।

ପୁଟିନଙ୍କୁ ମୋଦୀ ଯେଉଁ ପରାମର୍ଶ ଦେଇଛନ୍ତି, ତାକୁ ଆଗକୁ ବଢ଼ାନ୍ତୁ, ଏବଂ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରନ୍ତୁ ବୋଲି କହିଛନ୍ତି ବାଇଡେନ୍ । ସେପଟେ ରୁଷ-ୟୁକ୍ରେନ୍ ଯୁଦ୍ଧର ୭ ମାସ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ ପରମାଣୁ ଆକ୍ରମଣ ନେଇ ସତର୍କ କରିଛନ୍ତି ପୁଟିନ୍ । ଏହା ମିଛ ଧମକ ନୁହେଁ, ତେଣୁ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ପୁଟିନଙ୍କ ଏଭଳି ଧମକ ପରେ ଆମେରିକାର ନ୍ୟୁୟର୍କରେ ବିଶ୍ୱର ନେତାମାନଙ୍କ ଜରୁରୀ ବୈଠକ ବସିଛି ।

ରୁଷ ସହ ଲଢିବା ପାଇଁ ୟୁକ୍ରେନକୁ ସେନା ବ୍ୟତୀତ ଅନ୍ୟ ସମସ୍ତ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପରମାଣୁ ଆକ୍ରମଣ ଧମକକୁ କଡ଼ା ସମାଲୋଚନା କରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୟୁଏନ୍ ଚାର୍ଟରକୁ ଉଲଂଘନ କରିଛି ରୁଷିଆ । ସେ କହିଛନ୍ତି, ଅତି ଦାୟତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ପୁଟିନ୍ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟକୁ ପ୍ରଶଂସା କରି ବାଇଡେନ କହିଛନ୍ତି, ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନାକୁ ମୋଦୀ ଆଗକୁ ନିଅନ୍ତୁ ।