ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର, ଜାଣନ୍ତୁ କଣ ରହିଛି ସମିକରଣ

148

କନକ ବ୍ୟୁରୋ : ରାଜସ୍ଥାନରେ ଏବେ କଂଗ୍ରେସ ସରକାର ରହିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ କି, କଂଗ୍ରେସର ସରକାର ରହିବ ନା ବିଜେପି କ୍ଷମତାକୁ ଫେରିବ । ଏସବୁ ଭିତରେ ଆସନ୍ତା କାଲି ନିର୍ବାଚନ ଫଳାଫଳ ଆସିବ । କିନ୍ତୁ ଏଗଜିଟ୍ ପୋଲ ରିପୋର୍ଟ ଯାହା ରହିଛି ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ଏଗଜିଟ୍ ପୋଲର ରିପୋର୍ଟ ମୁତାବକ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଗଜିଟି ପୋଲ ରିପୋର୍ଟ ।

ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ କଂଗ୍ରେସକୁ ୮୬-୧୦୬ ଓ ବିଜେପିକୁ ୮୦-୧୦୦ ଆସନ ମିଳିପାରେ । ଜନ୍ କି ବାତ ରିପୋର୍ଟ ମୁତାବକ କଂଗ୍ରେସକୁ ୬୨-୮୫ ଓ ବିଜେପିକୁ ୧୦୦-୧୨୨ ଆସନ ମିଳିପାରେ । ସେହିଭଳି ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ କଂଗ୍ରେସକୁ ୯୦ ରୁ ୧୦୦ ଓ ବିଜେପିକୁ ୧୦୦-୧୧୦ ଆସନ ମିଳିପାରେ । ଅନ୍ୟପଟେ ଟୁଡେଜ ଚାଣକ୍ୟ ରିପୋର୍ଟ କହୁଛି କଂଗ୍ରେସକୁ ୮୯-୧୧୩ ଓ ବିଜେପିକୁ ୭୭-୧୦୧ ଆସନ ମିଳିପାରେ । ମାଟ୍ରିଜ୍ ରିପୋର୍ଟ ମୁତାବକ କଂଗ୍ରେସକୁ ୬୫-୭୫ ଓ ବିଜେପିକୁ ୧୧୫-୧୩୦ ଆସନ ମିଳିବ । ସି ଭୋଟର ସର୍ଭେ ରିପୋର୍ଟ ମୁତାବକ କଂଗ୍ରେସକୁ ୭୧-୯୧ ଓ ବିଜେପିକୁ ୯୪-୧୧୪ ଆସନ ମିଳିପାରେ । ଅର୍ଥାତ ଅଧିକାଂଶ ଏଗଜିଟ୍ ପୋଲ ରିପୋର୍ଟରେ ରାଜସ୍ଥାନରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଉଛି ।

ଯଦି ଆମେ ୨୦୧୮ ନିର୍ବାଚନକୁ ନଜର କରିବା ତେବେ ୨୦୧୮ରେ କଂଗ୍ରେସ ୧୦୦ଟି ଆସନରେ ବିଜୟୀ ହୋଇଥିଲା । ବିଏସପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୦ ବେଳକୁ ଗେହଲଟଙ୍କ ସମସ୍ୟା ବଢାଇଥିଲେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ସେ ୧୮ ଜଣ ବିଧାୟକଙ୍କୁ ସାଥିରେ ଧରି ହରିଆଣା ପଳାଇଯାଇଥିଲେ । ଏହି କାରଣରୁ କଂଗ୍ରେସ ତାଙ୍କୁ ରାଜ୍ୟ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା । ଚଳିତ ନିର୍ବାଚନରେ ଉଭୟ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ ତୁଟିଥିଲେ ବି ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିଛି ବୋଲି ଏଗଜିଟି ପୋଲ ରିପୋର୍ଟରୁ ଅନୁମାନ କରାଯାଉଛି ।

ପ୍ରତି ରାଜ୍ୟର ବିଧାନସଭା ନିର୍ବାଚନରେ ବି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଭାବ ଦେଖିବାକୁ ମିଳିଥାଏ । ଏହାକୁ ନଜର କଲେ ବିଜେପି ତାର ସମସ୍ତ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାରେ ଲଢୁଛି । ଏହି କ୍ରମରେ ରାଜସ୍ଥାନରେ ୨୦୧୪ ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୫୧ ପ୍ରତିଶତ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୩ ପ୍ରତିଶତ ଥିଲା । ୨୦୧୯ରେ ରାଜସ୍ଥାନରେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୬୪ ପ୍ରତିଶତ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୮ ପ୍ରତିଶତ ଥିଲା ।

ସେପଟେ ଯଦି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଦଳର ଭୋଟ ପ୍ରତିଶତକୁ ନଜର କରିବା ତେବେ ୨୦୦୩ରେ ଅଶୋକ ଗେହଲଟଙ୍କ ଲୋକପ୍ରିୟତା ୩୫ ପ୍ରତିଶତ ରହିଥିଲା ଓ ଦଳକୁ ୩୬ ପ୍ରତିଶତ ଭୋଟ ମିଳିଥିଲା । ୨୦୦୮ ରେ ବିଜେପି ସରକାର ଗଠନ କରିଥିଲା ଓ ବସୁନ୍ଧରା ରାଜେ ସିନ୍ଧିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ରାଜ୍ୟରେ ବସୁନ୍ଧରାଙ୍କ ଲୋକପ୍ରିୟତା ୪୦ ପ୍ରତିଶତ ଥିବା ବେଳେ ବିଜେପିର ଭୋଟ ହାର ୩୪ ପ୍ରତିଶତ ଥିଲା । ୨୦୧୩ ରେ ପୁଣି କଂଗ୍ରେସ କ୍ଷମତା ଦଖଲ କରିଥିଲା ଓ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ତାଙ୍କର ଲୋକପ୍ରିୟତା ୩୭ ପ୍ରତିଶତ ଥିବା ବେଳେ କଂଗ୍ରେସକୁ ୩୩ ପ୍ରତିଶତ ଭୋଟ ମିଳିଥିଲା । ପୁଣି ୨୦୧୮ ରେ ବିଜେପି ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଥିଲା । ସେତେବେଳେ ବସୁନ୍ଧରାଙ୍କର ଲୋକପ୍ରିୟତା ୨୮ ପ୍ରତିଶତ ଥିବା ବେଳେ ଦଳକୁ ୩୯ ପ୍ରତିଶତ ଭୋଟ ମିଳିଥିଲା  ।

ଚଳିତ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟର ଭୋଟରମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ପ୍ରତିଶ୍ରୁତି ବାବଦରେ
ରାଜସ୍ଥାନ କଂଗ୍ରେସ
– ମହିଳା ସୁରକ୍ଷା ପାଇଁ ସିସିଟିଭିି ସ୍ଥାପନ
– ପୋଲିସ ବିଭାଗରେ ମହିଳାଙ୍କ ପାଇଁ ୩୩% ସ୍ଥାନ
– ଯୌନ ଶୋଷଣ ମାମଲାର ତ୍ୱରିତ ବିଚାର
– ପରିବାରର ମହିଳା ମୁରବୀଙ୍କୁ ୧୦ ହଜାର ଟଙ୍କା

ରାଜସ୍ଥାନ ବିଜେପି
– ମହିଳା ସୁରକ୍ଷା ପାଇଁ ସିସିଟିଭିି ଲଗାଇବାକୁ ପ୍ରତିଶ୍ରୁତି
– ମହିଳାଙ୍କ ପାଇଁ ପୋଲିସ ବିଭାଗରେ ୩୩% ସ୍ଥାନ ସଂରକ୍ଷଣ
– ଯୌନ ଉତ୍ପୀଡ଼ନ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ
– ନୂଆ ‘ଲାଡୋ ପ୍ରୋତ୍ସାହନ ଯୋଜନା’ ଲାଗୁ
– କନ୍ୟା ସନ୍ତାନଙ୍କ ପାଇଁ ୨ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍