ଆଜି ଗଣତି । ମଧ୍ୟପ୍ରଦେଶରେ କିଏ ମାରିପାରେ ବାଜି?

120

କନକ ବ୍ୟୁରୋ : ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଡିସେମ୍ବର ୩ତାରିଖ ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ । ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଗଜିଟ୍ ପୋଲ ବା ପୂର୍ବ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ସଭେ ଆକଳନକୁ ନଜର କଲେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଗୋଟିଏ ପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କମଳ ନାଥ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଥିବା ବେଳେ କ୍ଷମତାରେ ଥିବା ବିଜେପି ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ବିଜେପି ପୁଣିଥରେ କ୍ଷମତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ କହୁଛି ମଧ୍ୟପ୍ରଦେଶରେ ବିଜେପି ୧୪୦-୧୬୨ ଆସନରେ ବିଜୟୀ ହେବ ଓ କଂଗ୍ରେସକୁ ୬୮-୯୦ଟି ଆସନ ମିଳିବ । ସେହିଭଳି ଜନ୍ କି ବାତର ରିପୋର୍ଟ ମୁତାବକ ବିଜେପିକୁ ୧୦୦-୧୨୩ ଓ କଂଗ୍ରେସକୁ ୧୦୨-୧୨୫ ଆସନ ମିଳିପାରେ । ପୋଲଷ୍ଟାର୍ଟର ସର୍ଭେ ରିପୋର୍ଟ କହୁଛି ବିଜେପି ୧୦୬-୧୧୬ ଓ କଂଗ୍ରେସ ୧୧୧-୧୨୧ ଆସନରେ ବିଜୟୀ ହେବ । ମାଟ୍ରିଜ ତାର ସର୍ଭେ ରିପୋର୍ଟରେ କହିଛି ବିଜେପିକୁ ୧୧୮-୧୩୦ ଓ କଂଗ୍ରେସକୁ ୯୭-୧୦୭ ଆସନ ମିଳିପାରେ । ଟୁଡେ ଚାଣକ୍ୟ ସର୍ଭେ ରିପୋର୍ଟରେ ବିଜେପିକୁ ୧୩୬-୧୬୩ ଓ କଂଗ୍ରେସକୁ ୬୨-୮୬ ଆସନ ମିଳିବ । ସେହିଭଳି ସି ଭୋଟର ସର୍ଭେ ମୁତାବକ ବିଜେପିକୁ ୮୮-୧୧୨ ଓ କଂଗ୍ରେସକୁ ୧୦୨-୧୨୫ ଆସନ ମିଳିପାରେ ।

ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ । ୧୧୬ ହେଉଛି ମ୍ୟାଜିକ୍ ନମ୍ବର । ସର୍ଭେ ରିପୋର୍ଟ ଯଦି ସତ୍ୟ ହୁଏ ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ ସଂଖ୍ୟା ଗଣିତରେ କଡା କଡି ଟକ୍କର ହେବାକୁ ଯାଉଛି । ଏହା ମଧ୍ୟରେ ନିର୍ଦ୍ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀ ହୁଏତ କିଙ୍ଗ୍ ମେକର ସାଜିପାରିନ୍ତି ।

ଯଦି ଆମେ ୨୦୧୮ ବିଧାନସଭା ନିର୍ବାଚନକୁ ଦେଖିବା ତେବେ ରାଜ୍ୟରେ କଂଗ୍ରେସକୁ ମଧ୍ୟ ବହୁମତ ମିଳିନଥିଲା । କଂଗ୍ରେସକୁ ୧୧୪ ଟି ଆସନ ମିଳିଥିଲା ଓ ବିଏସପିର ୨, ଏସପିର ୧ ଏବଂ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା ଓ କମଳନାଥ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । କମଳନାଥଙ୍କ ସରକାର ୧୫ ମାସ ଚାଲିବା ପରେ ଦଳର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେପଟେ ଚଳିତ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ନୁହେଁ ବରଂ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଚେହେରାକୁ ଭରସା କରିଛି । ୨୦୧୪ ରେ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୪୭ ପ୍ରତିଶତ ଥିବା ବେଳେ ୨୦୧୯ ବେଳକୁ ତାହା ବୃଦ୍ଧିପାଇ ୫୩ ପ୍ରତିଶତରେ ପହଂଚିଥିଲା । ସେହିଭଳି କଂଗ୍ରେସ ମଧ୍ୟ କମଳନାଥଙ୍କ ସହ ରାହୁଲ ଗାନ୍ଧୀଙ୍କ ଚେହେରାକୁ ନିର୍ବାଚନରେ ପ୍ରୟୋଗ କରିଛି । ୨୦୧୪ ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୨ ପ୍ରତିଶତ ଥିବା ବେଳେ ୨୦୧୯ ବେଳକୁ ଏହା ୩୫ ପ୍ରତିଶତରେ ପହଂଚିଥିଲା ।

ଅନ୍ୟପଟେ ଯଦି ଭୋଟ ପ୍ରତିଶତ କଥା ଲକ୍ଷ୍ୟ କରିବା ତେବେ ୨୦୦୩ ରେ କଂଗ୍ରେସର ଭୋଟ ପ୍ରତିଶତ ୩୧ ଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଦିଗବିଜୟ ସିଂଙ୍କ ଲୋକପ୍ରିୟତା ୩୫ ପ୍ରତିଶତ ରହିଥିଲା । ୨୦୦୮ ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜେପିରୁ ଶିବରାଜ ସିଂ ଚୌହାନ । ସେତେବେଳେ ତାଙ୍କର ଲୋକପ୍ରିୟତା ୪୭ ପ୍ରତିଶତ ଥିବା ବେଳେ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିଥିଲା । ୨୦୧୩ ରେ ଶିବରାଜସିଂଙ୍କ ଲୋପ୍ରିୟତା ୪୭ ପ୍ରତିଶତ ଥିବାବେଳେ ବିଜେପିକୁ ୪୫ ପ୍ରତିଶତ ଭୋଟ ମିଳିଥିଲା । ୨୦୧୮ ରେ ଶିବରାଜ ସିଂଙ୍କ ଲୋକପ୍ରିୟତା ୪୧ ପ୍ରତିଶତ ଥିବା ବେଳେ ବିଜେପିକୁ ୪୧ ପ୍ରତିଶତ ଭୋଟ ମିଳିଥିଲା ।

ପାଖାପାଖି ୪.୫ ବର୍ଷ ଶାସନ କରିବା ପରେ ଯେବେ ନିର୍ବାଚନ ଆସିଲା ସେତେବେଳେ ବିଜେପି ଶିବରାଜଙ୍କ ଉପରେ ଭରଶା କରିପାରିଲା ନାହିଁ । ଶିବରାଜଙ୍କ କାମ ଓ ଶାସନ କରିବାର ପ୍ରଣାଳୀ ବୋଧହୁଏ ମଧ୍ୟପ୍ରଦେଶ ଭୋଟରଙ୍କୁ ଆକର୍ଷିତ କରିବାରେ ବିଫଳ ହେଲା । ଯାହା ବିଜେପିର କେନ୍ଦ୍ରୀୟ ନେତାମାନେ ଅନୁଭବ କରିପାରିଲେ । ତେଣୁ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଶିବରାଜଙ୍କୁ ଆଗକୁ ଆଣିଲା ନାହିଁ । ଏହାସହ ଏକ ନୂଆ ତରିକାରେ ବିଜେପି ପ୍ରାର୍ଥୀ ଘୋଷଣା କଲା । ଭୋଟରଙ୍କୁ ଆକୃଷ୍ଟ ଓ ଦୁର୍ବଳ ନିର୍ବାଚନ ମଣ୍ଡଳୀ ଗୋଡିକରେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଓ କିଛି ସାଂସଦଙ୍କୁ ପ୍ରାର୍ଥୀ କରି ପୁଣି କ୍ଷମତା ହାତେଇବାକୁ ପ୍ରୟାସ କରିଛି । ହେଲେ ଦେଖିବାକୁ ବାକି ରହିଲା ବିଜେପିର ଏହି ନିର୍ବାଚନ ଫର୍ମଲା କେତେ ସଫଳ ହେଉଛି ।