ରାଜସ୍ଥାନରେ ପୁଣି ପାଇଲଟ୍ ବନାମ ଗେହଲଟ : ଅନଶନରେ ବସିଲେ ସଚିନ; ଏହି କାମକୁ ଦଳବିରୋଧୀ କହିଲା କଂଗ୍ରେସ

86

କନକ ବ୍ୟୁରୋ : ଦୀର୍ଘଦିନର ନୀରବତା ପରେ ପୁଣି ରାଜସ୍ଥାନ ରାଜନୀତିରେ ଦେଖାଦେଇଛି ହଲଚଲ । କ୍ଷମତାସୀନ କଂଗ୍ରେସରେ ପୁଣି ପାଇଲଟ ବନାମ ଗେହଲଟ୍ ଲଢ଼େଇ ଆରମ୍ଭ ହୋଇଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜ ଦଳର ଆଭିମୁଖ୍ୟ ବିରୋଧରେ ମଙ୍ଗଳବାର ଅନଶନରେ ବସିଛନ୍ତି । ପାଇଲଟଙ୍କ ଏଭଳି କାର୍ଯ୍ୟକୁ ଦଳ ବିରୋଧୀ କାମ କହି ନିନ୍ଦା କରିଛି କଂଗ୍ରେସ । ସଚିନ ଦାବି କରିଛନ୍ତି ବିଜେପି ସରକାର ସମୟର ଦୁର୍ନୀତିର ତଦନ୍ତ କରାଯାଉ ।

ସେପଟେ, ଅନଶନ ସରିବା ପରେ ପାଇଲଟ କହିଛନ୍ତି, ଆଗକୁ ମଧ୍ୟ ଏହି ଦୁର୍ନୀତି ବିରୋଧୀ ଲଢ଼େଇ ଜାରି ରହିବ । ପାଇଲଟ କହିଛନ୍ତି, ସୁଖଜିନ୍ଦର ସିଂହ ରନ୍ଧୱା ଗତ କିଛି ଦିନ ତଳେ ରାଜସ୍ଥାନ ପ୍ରଭାରୀ ହେଲେ। କିନ୍ତୁ ପୂର୍ବରୁ ରାଜସ୍ଥାନ ଦାୟିତ୍ବରେ ଥିବା ପ୍ରଭାରୀଙ୍କ ସହ ମୁଁ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା କରିଥିଲି । ଉକ୍ତ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି । ତେଣୁ ଦୁର୍ନୀତି ବିରୋଧରେ ଆମେ ସ୍ବର ଉତ୍ତୋଳନ କରିବୁ ଏବଂ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିବୁ ବୋଲି ପାଇଲଟ ଘୋଷଣା କରିଛନ୍ତି ।

ରାଜସ୍ଥାନ ବିଧାନସଭା ଓ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦୁଇ ମୁଖ୍ୟ ଚେହେରାଙ୍କ ଭିତରେ ଲଢେଇରେ କଂଗ୍ରେସ କେତେ ପ୍ରଭାବିତ ହେଉଛି ଓ ବିରୋଧୀ ଏହାର କେତେ ଫାଇଦା ଉଠାଇବେ ଏନେଇ ଚର୍ଚ୍ଚା ଜୋର ଧରିଛି ।