ଚର୍ଚ୍ଚାରେ ପକ୍ଷୀ-ମଣିଷ ପ୍ରେମ : ଆରିଫ୍ ଓ ସାରସଙ୍କ ଅତୁଟ ବନ୍ଧନ

302

କନକ ବ୍ୟୁରୋ : ମଣିଷ ଏବଂ ପକ୍ଷୀର ଇଏ ଏମିତି ଏକ କାହାଣୀ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସମ୍ପର୍କ କେବଳ ମଣିଷ ମଣିଷ ମଧ୍ୟରେ ନଥାଏ, ପକ୍ଷୀଟିଏ ମଧ୍ୟ ଅତୁଟ ସମ୍ପର୍କର ସଜ୍ଞା ବୁଝିଥାଏ । ଉତ୍ତରପ୍ରଦେଶର ଏହି କାହାଣୀ ମଣିଷ-ପକ୍ଷୀ ମଧ୍ୟରେ ଥିବା ନିବିଡ ସମ୍ପର୍କର ଏକ ନିଆରା ଉଦାହରଣ । ଆପଣଙ୍କର ମନେଥିବ ଆରିଫ ଖାନ୍ ଏବଂ ସାରସ ପକ୍ଷୀର ବନ୍ଧୁତାର କାହାଣୀ । ଚାଷ ଜମିରୁ କ୍ଷତାକ୍ତ ଅବସ୍ଥାରେ ସାରସ ପକ୍ଷୀକୁ ପାଇ ଘରକୁ ନେଇ ଆସିଥିଲେ ଆରିଫ ।

ତାକୁ ଭଲ କରିବା ସହ ତାର ଖୁବ ଯତ୍ନ ମଧ୍ୟ ନେଇଥିଲେ । ପରିବାରର ସଦସ୍ୟ ଭଳି ତାର ପ୍ରତିଟି କଥା ବୁଝୁଥିଲେ । ପକ୍ଷୀ ନୁହଁ ତ ମଣିଷ ଭଳି ଆରିଫଙ୍କ ସହ ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇଯାଇଥିଲା ଏହି ପକ୍ଷୀଟି । ପରେ ଏହି ୨ ବନ୍ଧୁଙ୍କର ବିଚ୍ଛେଦର ଖବର ମଧ୍ୟ ଦେଶବାସୀଙ୍କୁ ବିବ୍ରତ କରିଥିଲା । ବିଭିନ୍ନ ନିୟମ ଦର୍ଶାଇ ଆରିଫଙ୍କ ନିକଟରୁ ସାରସକୁ ଅଲଗା କରିଦେଇଥିଲା ବନବିଭାଗ । ଦୁଃଖରେ ଭାଙ୍ଗିପଡିଥିଲେ ଆରିଫ । ଆଉ ସାରସ ପକ୍ଷୀଟି ମଧ୍ୟ ନିଜ ବନ୍ଧୁଙ୍କଠୁ ଦୂରେଇଯାଇ ବ୍ୟାକୁଳ ହୋଇପଡିଥିଲା ।

ତେବେ ଅନେକ ଦିନ ପରେ ଆଜି ଚିଡିଆଖାନା ଯାଇ ସାରସ ପକ୍ଷୀକୁ ଭେଟିଛନ୍ତି ଆରିଫ । ଆରିଫଙ୍କୁ ଦେଖି କେମିତି ଖୁସିରେ ନାଚି ଉଠୁଛି ପକ୍ଷୀଟି । ନିଜ ବନ୍ଧୁଙ୍କୁ ଆଲିଙ୍ଗନ କରିବା ପାଇଁ ବ୍ୟାକୁଳ ହୋଇପଡୁଛି । ମଣିଷ ଭଳି କଥା ସିନା କହିପାରୁନି, କିନ୍ତୁ ନିଜ ଖୁସିକୁ ଏହିଭଳି ଢଙ୍ଗରେ ହୁଏତ ସିଏ ବୟାନ କରୁଛି । ଆଉ ଏହି ଚିତ୍ର କୋଟି କୋଟି ଭାରତବାସୀଙ୍କ ମନ କିଣି ନେଇଛି ।