ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କୁ ଘଣ୍ଟା ଘଣ୍ଟା ଜେରା । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଶ୍ନ କଲେ ୩ ଅଧିକାରୀ

168

କନକ ବ୍ୟୁରୋ: ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ଜେରା । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ ଆସିଷ୍ଟାଣ୍ଟ ଡିରେକ୍ଟର ଓ ଡେପୁରୀ ଡିରେକ୍ଟର ର୍ୟାଙ୍କର ୩ ଅଧିକାରୀ । ପ୍ରାୟ ୩ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଥିଲା । ମଧ୍ୟାହ୍ନ ପରେ ଆଉ ଥରେ ତାଙ୍କୁ ଜେରା କରାଯାଉଛି । ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟରେ ତାଙ୍କର ବୟାନ ରେକର୍ଡ଼ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାଜର ହୋଇଛନ୍ତି । ଏହି ସମୟରେ ରାହୁଲଙ୍କ ପଛରେ ସମର୍ଥକଙ୍କ ଲମ୍ବାଧାଡି ଦେଖିବାକୁ ମିଳିଛି । ରାହୁଲଙ୍କ ସହ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଇଡି କାର୍ଯ୍ୟାଳୟ ଯାଏଁ ଗାଡିରେ ଆସିଥିଲେ । ରାହୁଲଙ୍କୁ ସମନ ହୋଇଥିବାରୁ ରାହୁଲ ଏକା ଭିତରକୁ ଗଲେ ଓ ତାଙ୍କୁ ପଚରା ଉଚରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ।

ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଅଧିକାରୀ । ପ୍ରଥମେ ତିନି ଘଣ୍ଟା ମାରାଥନ ପଚରା ଉଚରା ପରେ କିଛି ସମୟ ବିରତି ଦେଇ ପୁଣି ରାହୁଲଙ୍କୁ ଜେରା କରାଯାଇଛି । ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁସାରେ ବୟାନ ରେକର୍ଡ଼ ହୋଇଛି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଡିରେକ୍ଟର, ଆସିଷ୍ଟାଂଣ୍ଟ ଡିରେକ୍ଟର ରାଙ୍କର ୩ ଅଧିକାରୀ ପଚରା ଉଚରା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସିଷ୍ଟାଣ୍ଟ ଡିରେକ୍ଟର ରାଙ୍କର ଅଧିକାରୀ ପ୍ରଶ୍ନ କରିଥିଲେ, ଜଣେ ସୁପରଭିଜନ କରିଥିଲେ ଓ ଅନ୍ୟ ଜଣକ ଟାଇପ୍ କରିଥିଲେ ।

ରାହୁଲ ଗାନ୍ଧୀଙ୍କୁ ପଚରା ଯାଇଥିବା ପ୍ରଶ୍ନ

– ଭାରତରେ ଆପଣଙ୍କ କେତେ ସମ୍ପତ୍ତି ରହିଛି, କେଉଁଠି କେଉଁଠି ରହିଛି?
– କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି ? କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି? ଆକାଉଣ୍ଟରେ କେତେ ଟଙ୍କାର ଜମା ରାଶି ଅଛି ?
– ବିଦେଶରେ କୌଣସି ବ୍ୟାଙ୍କ ଖାତା ଅଛି କି? ଯଦି ହଁ, ସେଥିରେ କେତେ ଟଙ୍କା ଅଛି ?
– ବିଦେଶରେ ସମ୍ପତ୍ତି ଅଛି? ଯଦି ହଁ, ତେବେ କେଉଁଠି ରହିଛି?
– ୟଙ୍ଗ ଇଣ୍ଡିଆ ସହ କିପରି ସଂପୃକ୍ତ ହେଲେ?
– ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡରେ ଆପଣ କେଉଁ ପଦରେ ଅଛନ୍ତି?
– ୟଙ୍ଗ ଇଣ୍ଡିଆରେ ଆପଣଙ୍କ ନାଁରେ କାହିଁକି ସେୟାର ଥିଲା ?
– କଂଗ୍ରେସ ପାର୍ଟି ୟଙ୍ଗ ଇଣ୍ଡିଆକୁ କାହିଁକି ରୁଣ ଦେବାକୁ ବିଚାର କଲା ?
-କଂଗ୍ରେସ ନେସନାଲ ହେରାଲ୍ଡକୁ ପୁଣି ଚଲାଇବାକୁ କାହିଁକି ଚାହିଁଲା ?
-କଂଗ୍ରେସ ଯାହା ବି ରୁଣ ଦେଇଛି, ତାର ବିସ୍ତୃତ ବିବରଣୀ ଦିଅନ୍ତୁ
-ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ ଏବଂ ନେସନାଲ ହେରାଲ୍ଡ ପାଖରେ କେତେ ସମ୍ପତ୍ତି ରହିଛି, ସଂପୂର୍ଣ୍ଣ ବିବରଣୀ ଦିଅନ୍ତୁ

ରାହୁଲ ଗାନ୍ଧୀଙ୍କୁ ଜେରା ପ୍ରତିବାଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨୫ଟି ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି । ଭୁବନେଶ୍ୱର ସ୍ଥିତ ଇଡିର ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ସେପଟେ ଦିଲ୍ଲୀରେ କଂଗ୍ରେସ ନେତା ଓ କର୍ମକର୍ତ୍ତା ଏକତ୍ରିତ ପ୍ରତିବାଦ କରିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ୩ ଘଣ୍ଟା ମାରାଥନ ଜେରା ପରେ ତାଙ୍କୁ କିଛି ସମୟ ବିରତି ଦିଆଯାଇଥିଲା । ଆଉ ସେହି ସମୟରେ ଗଙ୍ଗାରାମ ହସ୍ପିଟାଲ ଯାଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ।