ଦୀର୍ଘ ୪ମାସ ପରେ ଆଜିଠୁ ପୁରୀ ସହରବାସୀଙ୍କୁ ମିଳିବ ଜଗା ଦର୍ଶନ : ୨୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ

135

କନକ ବ୍ୟୁରୋ : ଦୀର୍ଘ ୪ମାସ ପରେ ଆଜିଠାରୁ ପୁରୀ ସହରବାସୀଙ୍କୁ ମିଳିବ ଜଗା ଦର୍ଶନ । ୨୦ ତାରିଖ ପର୍ଯ୍ୟନ୍ତ ୪ଦିନ କେବଳ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀବାସୀଙ୍କ ଦର୍ଶନ ପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ଏହି ଟୋକନ ସହ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ତାପରେ ଶନିବାର ଓ ରବିବାର ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ତାପର ଦିନ ଅର୍ଥାତ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପ୍ରମାଣପତ୍ର ଯାଂଚ , ଫଟୋ ଉତୋଳନ , ଭକ୍ତଙ୍କ ସଂଖ୍ୟା ଗଣତି ସହ ସାନିଟାଇଜ୍ ପାଇଁ କିଓସ୍କ ଲଗାଯାଇଛି । ରାଜନଅରଠାରୁ ବାରିକେଡିଂ କରାଯାଇଛି । ଜୋତାଷ୍ଟାଣ୍ଡଠାରୁ ବି ଅଲଗା ବାରିକେଡିଂ କରାଯାଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବବର୍ଷ ଭଳି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୮ଟି କିଓସ୍କ ବ୍ୟବସ୍ଥା କରାଯାଇଛି । ପ୍ରମାଣପତ୍ର ଯାଂଚ , ଫଟୋ ଉତୋଳନ ସହ ସାନିଟାଇଜ୍ ପରେ ସେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ସିଂହଦ୍ୱାର ଦେଇ ପ୍ରବେଶ କରିବେ ।