ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୯ ଭାରତୀୟ : ଫେରିବା ପରେ ବଖାଣିଲେ ଆଫଗାନିସ୍ତାନର ସ୍ଥିତି

272

କନକ ବ୍ୟୁରୋ : କାବୁଲକୁ ତାଲିବାନ କବଜା କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡିଛି । ଆଫଗାନିସ୍ତାନର ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଆସିଛନ୍ତି ୧୨୯ ଭାରତୀୟ । ଭାରତ ଫେରିବା ପରେ କହିଛନ୍ତି ଆଫଗାନିସ୍ତାନରେ ବର୍ତ୍ତମାନ କେମିତି ରହିଛି ସ୍ଥିତି ।

ଆଫଗାନିସ୍ତାନକୁ ତାଲିବାନ କବଜା କରିନେବା ପରେ ଭୟଭୀତ ହୋଇପଡିଛନ୍ତି ଆଫଗାନବାସୀ । ସାଧାରଣ ଲୋକଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା ତାଲିବାନ ନେତାମାନେ ବାରମ୍ବାର କହୁଥିଲେ ମଧ୍ୟ ବିଶ୍ୱାସ କରିପାରୁ ନାହାଁନ୍ତି ସାଧାରଣ ଜନତା । ପ୍ରତି ମୁହୁର୍ତରେ ଜୀବନ ପ୍ରତି ବିପଦ ଥିବାରୁ ଭାରତରେ ରହୁଥିବା ଆଫଗାନି ଲୋକ ବି ଭୟଭୀତ ହୋଇପଡିଛନ୍ତି ।

ସେମାନଙ୍କ ସମ୍ପର୍କୀୟ ସେଠାରେ କେମିତି ଥିବେ ଭାବି ଭାବି ରାତି ରାତି ଉଜାଗର ହୋଇ ସେଠାରେ କଣ ଘଟୁଛି, କଣ ରହିଛି ସ୍ଥିତି ଟିଭି ଦେଖୁଛନ୍ତି । ତାଲିବାନ ପୂର୍ବରୁ ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ତାଲିବାନ ଘଟାଇଥିବା ବର୍ବରତା ଆଉ କଟକଣାକୁ ଏବେ ବି ଭୁଲି ନାହାଁନ୍ତି ଆଫଗାନର ଜନସାଧାରଣ । ଏଥିସହ ମହିଳା ଓ ଯୁବତୀମାନଙ୍କୁ କିଭଳି ତାଲିବାନମାନେ ଯୌନଦାସୀ ବନାଉଛନ୍ତି, ସେନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ସେମାନଙ୍କୁ ଆହୁରି ଭୟଭୀତ କରିଛି ।