ଶିକ୍ଷକତାରୁ ଅବସର ପରେ ଚାଷ କାମରେ ଦେଇଛନ୍ତି ମନ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ପୁସ୍ତପୁର ଗ୍ରାମର ପ୍ରସନ୍ନ କୁମାରଙ୍କ ଚାଷକୁ ନେଇ ଚର୍ଚ୍ଚା ।

200

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପୁସ୍ତପୁର ଗ୍ରାମର ପ୍ରସନ୍ନ କୁମାର ଦାଶ । ସେ ଥିଲେ ହାଇସ୍କୁଲର ହିନ୍ଦୀ ଶିକ୍ଷକ । ଗତ ବର୍ଷ ଅବସର ନେବା ପରେ ଏବେ ଚାଷ କାମକୁ ଆପଣେଇ ନେଇଛନ୍ତି । ମଥୁରା ପଞ୍ଚୟତ ଭରଷା ନିକଟ ପାହାଡ ପାଦଦେଶରେ ଥିବା ୧୬ ଭରଣ ଜାଗାରେ ଚାଷ କରିଛନ୍ତି ଭଳିକି ଭଳି ପନିପରିବା । ସରକାରଙ୍କ ସହାୟତାରେ ବୋରିଙ୍ଗ ଟିଏ କରି ଚାଷ ଅନୁପଯୋଗୀ ଜମିକୁ ଚାଷ ଉପଯୋଗୀ କରିପାରିଛନ୍ତି ।

ବହୁ ଦିନ ଆଗରୁ ଚାଷ କାମ ପ୍ରତି ରୁଚି ରଖିଥିବା ପ୍ରସନ୍ନ ଚାକିରି କାଳରେ ଚାଷ ବାସ ପାଇଁ ସମୟ ପାଇ ପାରୁନଥିଲେ । ତେବେ ଗତ ବର୍ଷ ଚାକିରିରୁ ଅବସର ନେବା ପରେ ଏବେ କେଉଁ ସମୟରେ କେଉଁ ଚାଷ ହେବ ତାହା ପ୍ରତି ଧ୍ୟାନ ଦେଉଛନ୍ତି । ଆଉ ତାଙ୍କର ଏହି ଚେଷ୍ଟା ବଳରେ ଟାଙ୍ଗରା ଭୂଇଁରେ ଫଳେଇ ପାରିଛନ୍ତି ବାଇଗଣ, ଭେଣ୍ଡି, କାକୁଡି, ତୋରଡା, ଗୁଆର, ପୋଟଳ, ଝୁଡୁଙ୍ଗ, ଅମୃତ ଭଣ୍ଡା, ସଜନା, ମକା, ବୋଇତାଳୁ ଓ କଦଳୀ ଭଳି ବିଭିନ୍ନ ପନିପରିବା । ଆଉ ତାଙ୍କ ଫାର୍ମ ଭିତରେ ରହିଛି ପିଜୁଳି, ଲେମ୍ବୁ ତେଜପତ୍ର, ଡାଲଚିନି, ଆମ୍ବ, ପଣସ ଭଳି ବିଭିନ୍ନ ପକାରର ଫଳ ଗଛ । କେବଳ ଏତିକି ନୁହଁ କୁକୁଡା ଚାଷ ମଧ୍ୟ କରିଛନ୍ତି ସେ ।

ପ୍ରସନ୍ନଙ୍କ ଫାର୍ମରେ ହେଉଥିବା ବିଭିନ୍ନ ଚାଷବାସକୁ ରକ୍ଷଣାବେକ୍ଷଣ କରିବା ପାଇଁ ତାଙ୍କ ସହ ରହିଛନ୍ତି ଆଉ ୬ଜଣ କର୍ମଚାରୀ । ପନିପରିବା ତୋଳିବା ପାଣି ଦେବା ପସନ୍ନଙ୍କ ଅନୁପସ୍ଥିତିରେ କୁକୁଡା ଓ ଲାଗିଥିବା ଫସଲର ଯତ୍ନ ନେବା ଭଳି କାମ କରିଥାନ୍ତି । ଫାର୍ମରୁ ପନିପରିବା ତୋଳିବା ପରେ ସେ ନିକଟସ୍ଥ ବଜାର ଖଲ୍ଲିକୋଟ ,ପୁସ୍ତପୁର,ବେଗୁନିଆପଡା ଓ କୋଦଳାରେ ବିକ୍ରି କରିଥାନ୍ତି ।