ବିଜେପିରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା ସୁନିଲ ଜାଖଡ, ଜେପି ନଡ୍ଡା ଦେଲେ ଦଳର ପ୍ରାଥମିକ ସଦସ୍ୟତା

147

କନକ ବ୍ୟୁରୋ : କଂଗ୍ରେସ ମୁକ୍ତ ଭାରତ ଓ ବିଜେପି ଯୁକ୍ତ କଂଗ୍ରେସ ଅଭିଯାନ ଏବେ ଆଉଏକ ପାଦ ଆଗକୁ ବଢିଛି । କିଛିଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ସୁନିଲ ଜାକଡ ଆଜି ବିଧିବଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପିର ରାଷ୍ଟ୍ରୀୟ ସଭାପତି ଜୟପ୍ରକାଶ ନଡ୍ଡାଙ୍କ ଉପସ୍ଥିତରେ ଦଳରେ ଯୋଗ ଦେଇଛନ୍ତି ।

କହିରଖୁ କି ଚଳିତ ମାସ ୧୪ ତାରିଖରେ ସୁନିଲ ଜାଖଡ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ ସମୟରୁ ସେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେବା ଓ ଚରଣଜିତସିଂ ଚନ୍ନିଙ୍କୁ ଦଳ ନୂଆ ମୁଖ୍ୟମନ୍ତ୍ରୀ କରିବା ଘଟଣା ଦିନରୁ ଜାଖଡ ନିଜ ବୟାନରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ହେଲେ ପଞ୍ଜାବ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ।

 

ସେପଟେ ନିର୍ବାଚନ ପରେ କଂଗ୍ରେସ ତରଫରୁ ସୁନିଲ ଜାଖଡଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଦଳର ହାଇକମାଣ୍ଡ ସୁନିଲଙ୍କୁ ଏପ୍ରିଲ ୨୬ ତାରିଖରୁ ୨ ବର୍ଷ ପାଇଁ ଦଳରୁ ବହିସ୍କୃତ କରିଥିଲେ ।
ଅନ୍ୟପଟେ ସୁନିଲ ଜାଖଡ କଂଗ୍ରେସର ଇସ୍ତଫା ଦେବା ପରେ କଂଗ୍ରେସକୁ କିଛି ପରାମର୍ଶ ଦେଇଥିଲେ । ସେ କହିଥିଲେ କି ଏଭଳି ଚିନ୍ତନ ଶିବିର ଆୟୋଜନ କରିବାର କିଛି ମାନେ ନାହିଁ । ସେ କହିଥିଲେ କି ଏହି ଚିନ୍ତନ ଶିବିର ଏକ ଔପଚାରିକ ହେଲେ କଂଗ୍ରେସକୁ ଚିନ୍ତା ଶିବିର ଆୟୋଜନ କରିବାର ଆବଶ୍ୟକତା ରହିଛି ।