ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ! ରୁଜୁ ହେବ ବଟି ମାମଲା, ସବୁ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ

59

କନକ ବ୍ୟୁରୋ : ପୂଜା ନାଁରେ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଦଫା ଲଗାଇ ମାମଲା ରୁଜୁ କର । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର । ରାଜ୍ୟ ପୁଲିସ୍ ମୁଖ୍ୟାଳୟରୁ ସମସ୍ତ ଜିଲ୍ଲାର ଏସ୍ପି, କମିସନରେଟ୍ ପୁଲିସର ଡିସିପି, ବିଭିନ୍ନ ରେଞ୍ଜର ଆଇଜି ମାନଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଚାନ୍ଦା ଆଦାୟରେ ସଂପୃକ୍ତ ଥିବା ଲୋକଙ୍କ ସଂପର୍କରେ ଆଗୁଆ ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଏହି ନିର୍ଦ୍ଦେଶନାମାରେ ସୂଚାଇ ଦିଆଯାଇଛି ।

ରାଜ୍ୟ ପୁଲିସର ଅତିରିକ୍ତ ଡିଜି (ଆଇନଶୃଙ୍ଖଳା)ଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଗଣେଶ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ପରକୁ ପର ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି । ଏହି ସବୁ ପୂଜା ଆୟୋଜନ ନାମରେ ଅନେକ ଅସାମାଜିକ ଲୋକ, ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟ, ରାଜ୍ୟ ଓ ଜାତୀୟ ରାଜପଥରେ ବସ୍ ଆଉ ବିଭିନ୍ନ ଗାଡ଼ି ଅଟକାଇ ଚାନ୍ଦା ଆଦାୟ କରୁଛନ୍ତି । ଏହା ଦ୍ୱାରା ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି ।

ଯେଉଁ ବ୍ୟକ୍ତିମାନେ ଏଭଳି କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଘଟଣା ଅନୁଯାୟୀ ଆଇପିସିର ୩୮୪ (ବଳପୂର୍ବକ ଅର୍ଥ ଆଦାୟ, ସର୍ବାଧିକ ଦଣ୍ଡ ୩ ବର୍ଷ ଜେଲ୍), ୩୮୬ (ମୃତ୍ୟୁ ବା ଆଘାତର ଭୟ ଦେଖାଇ ବଳ ପୂର୍ବକ ଅର୍ଥ ଆଦାୟ, ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍), ୩୮୭ ( ବଳ ପୂର୍ବକ ଅର୍ଥ ଆଦାୟ ବା ଉଦ୍ୟମ କରିବା କରିବା ବେଳେ ମୃତ୍ୟୁ ବା ଆଘାତର ଭୟ ଦେଖାଇବା, ସର୍ବାଧିକ ଦଣ୍ଡ ୭ ବର୍ଷ ଜେଲ୍), ୩୯୨ (ଲୁଣ୍ଠନ, ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍, ରାଜପଥରେ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟ ଉଦୟ ସମୟ ଭିତରେ ଲୁଣ୍ଠନ ହୋଇଥିଲେ ସର୍ବାଧିକ ଦଣ୍ଡ ୧୪ ବର୍ଷ), ୩୯୪(ଆଘାତ ଦେଇ ଲୁଟ୍ କରିବା ବା ଲୁଟ୍ ଉଦ୍ଦେଶ୍ୟରେ ଆଘାତ ଦେବା, ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ), ୩୯୫ (ଡକାୟତି, ସର୍ବାଧିକ ଆଜୀବନ କାରାଦଣ୍ଡ) ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମସ୍ତ ଥାନାର ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏସପିମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଜବରଦସ୍ତ ପୂଜା ଚାନ୍ଦା ଆଦାୟ ସଂପର୍କରେ ଗାଡ଼ି ମାଲିକ ସଂଘ ପକ୍ଷରୁ ପୁଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।