ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଦେଶବାସୀଙ୍କୁ ଆହୁରି ୬ ମାସ ମିଳିବ ମାଗଣା ରାସନ । ଟୁଇଟ୍ କରି ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

688

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଆହୁରି ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ୍ । ଶନିବାର କ୍ୟାବିନେଟ୍ ମିଟିଂ ପରେ ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଆସନ୍ତା ୬ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶର ପ୍ରତିଟି ଗରିବ ଲୋକଙ୍କୁ ମାଗଣାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଯୋଜନାକୁ ଆହୁରି ୩ ମାସ ବଢାଇ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଆଜି ପ୍ରଥମେ ଟୁଇଟ୍ କରି ସୂଚନା ଦେଇଥିଲେ । ମୋଦୀ ଟୁଇଟ୍ କରି ଲେଖିଥିଲେ, ଭାରତବର୍ଷର ସାମର୍ଥ୍ୟ ତାର ଦେଶର ପ୍ରତିଟି ନାଗରିକଙ୍କ ଶକ୍ତିରେ ସମାହିତ ଅଛି । ଏହି ଶକ୍ତିକୁ ଆହୁରି ମଜଭୁତ୍ କରିବାକୁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆହୁରି ୬ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଦେଶର ୮୦ କୋଟି ଲୋକ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ଲକଡାଉନ୍ କାରଣରୁ ଦେଶର ଅନେକ ଲୋକ ରାସନ ଅଭାବରୁ କଷ୍ଟରେ ଜୀବନ କାଟୁଥିଲେ । ଏହି ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରତି ବ୍ୟକ୍ତି ପିଛା ୫ କିଲୋ ମାଗଣା ଖାଦ୍ୟାନ୍ନ ଦେବାକୁ ଘୋଷଣା କରିଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି ଥରେ ଛଅ ମାସ ପାଇଁ ବୃଦ୍ଧି କରାଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡର ପ୍ରତିକୂଳ ପରିସ୍ଥିତି ସମୟରୁ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ସମେତ ଦେଶର ୮୦ କୋଟି ଲୋକଙ୍କୁ ଘରେ ଘରେ ଚାଉଳ ପହଞ୍ଚାଉଛନ୍ତି । ‘ଦେଶରେ କେହି ଭୋକରେ ରହିବେ ନାହିଁ’, ଏହା ସୁନିଶ୍ଚିତ କରାଯାଇଛି ।