କାଳିଆ ଯୋଜନାକୁ ସମାଲୋଚନା ପ୍ରସଙ୍ଗ : ବିରୋଧୀଙ୍କୁ କଡ଼ାକଥା କହିବା ସହ ଉଚିତ ଜବାବ ଦେଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

224

କନକ ବ୍ୟୁରୋ : କୃଷି ଋଣ ଛାଡ ନକରି ଚାଷୀଙ୍କ ପାଇଁ ବିକଳ୍ପ ବାଟ ବାହାର କରିଥିବା ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା ଜାରି ରହିଛି ।  ଆଉ ଏହାରି ଭିତରେ ବିରୋଧୀଙ୍କୁ ଖୁବ କଡା କଥା କହିଛନ୍ତି କୃଷିମନ୍ତ୍ରୀ ।  ପ୍ରଦୀପ ମହାରଥୀ କହିଛନ୍ତି, ୧୯୯୯ ଯାଏଁ କଂଗ୍ରେସ ରାଜ୍ୟରେ କ୍ଷମତାରେ ଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଦେବାକୁ ଦରମା ନଥିଲା । ସେହିପରି ବିଜେପିକୁ ମିଥ୍ୟାର ସୌଦାଗର ବୋଲି ସମାଲୋଚନା କରିଛନ୍ତି ମହାରଥୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଗାମୀ ୨୪ରେ  ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସୁଥିବା ବେଳେ ଏହି ସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପଚାରିବାକୁ ପରାମର୍ଶ ଦେଇଛନ୍ତି କୃଷିମନ୍ତ୍ରୀ  ।  ଏଥି ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଚାଷୀଙ୍କ ଉନ୍ନତି ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ଦିଗକୁ  ଦୃଷ୍ଟି ଦିଆଯାଇଥିବା ସେ କହିଛନ୍ତି । ଯାହା ଭିତରେ ବିନା ସୁଧରେ  ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ରହିଛି ।

pradip maharathy

ସେପଟେ କାଳିଆ ଯୋଜନାକୁ ନେଇ ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନବ ନିର୍ମାଣ କୃଷକ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିଛି । ସଂଗଠନ କହିଛି କଳାତ୍ମକ ଘୋଷଣା କାଳିଆ । ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବିରୁ ଖସିବା ପାଇଁ ସରକାର ଏଭଳି ପୁରୁଣା ଯୋଜନାକୁ ନୂଆ ଜାମା ପିନ୍ଧାଇଛନ୍ତି । ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ ଜୀବିକା ପାଇଁ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସୁବିଧା ପୂର୍ବରୁ ଥିଲା । ତେଣୁ ନୂଆ ଯୋଜନାରେ ଟଙ୍କାଟିଏ ନଦେଇ ସରକାର କେବଳ ଭ୍ରାନ୍ତି ସୃଷ୍ଟି କରିଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି ।

ସେହିପରି ରାଜଭବନ ସମ୍ମୁଖରେ ଧାରଣାରେ ବସିଥିବା କୃଷ୍ଣ ସଗରିଆ ମଧ୍ୟ ଚାଷୀଙ୍କ ପାଇଁ ସରକାରଙ୍କ ଯୋଜନାକୁ ସମାଲୋଚନା କରିଛନ୍ତି  । ବିଧାନସଭାରେ ସ୍ଥିର ହୋଇଥିବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ସହ ତୁରନ୍ତ କୃଷୀ ଋଣ ଛାଡ କରିବାକୁ ଦାବି କରିଛନ୍ତି ।

ବିଜେପି ମଧ୍ୟ ଚାଷୀଙ୍କ ପାଇଁ ଯୋଜନା ଘୋଷଣାରେ ରାଜନୈତିକ ଉଦ୍ଦେଶ୍ୟରେ ଗନ୍ଧ ବାରିଛି । ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି, ରାଜ୍ୟର ଚାଷୀଙ୍କୁ ନେଇ ସରକାରଙ୍କ ପାଖରେ ହିସାବ ନାହିଁ । ହିତାଧିକାରୀଙ୍କ ସଂଖ୍ୟା ନଥାଇ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସେ କହିଛନ୍ତି । ସରକାରଙ୍କ ପାଖରେ କେବଳ ଏଫଆଇସିରେ ପଂଜୀକୃତ ଚାଷୀଙ୍କ ତଥ୍ୟ ରହିଛି । ପ୍ରକୃତରେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ଏହାଠାରୁ ଢେର ଅଧିକ ବୋଲି ସେ କହିଛନ୍ତି ।