ଏଥର ଲାଲଗଡରେ ପ୍ରତିବୁଥରେ ହେବ ମତଦାନ । ଛତିଶଗଡ ମାଓବାଦୀଙ୍କ ପ୍ରତିହତ ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।

24

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଓଡିଶା ସୀମାନ୍ତ ଛତିଶଗଡରେ ମାଓବାଦୀ-ଯବାନ ମୁହାଁମୁହିଁ ଖବର ଆସୁଛି । ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ୍ ହେଉଛି । ଏହାରି ଭିତରେ ରାଜ୍ୟର ମାଓ ଉପଦ୍ରୁତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜି । ବିଶେଷ କରି ଆନ୍ଧ୍ର-ଓଡିଶା ସୀମା ସହ ଛତିଶଗଡ ସୀମାବର୍ତୀ ଜିଲ୍ଲାରେ ଅବାଧ ନିର୍ବାଚନ କରାଇବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ । ତେଣୁ ସୁରକ୍ଷା ଉପରେ ଜୋର ଦେଇଛନ୍ତି ପୁଲିସ ମହାନିର୍ଦେଶକ । ଡିଜିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପୁଲିସ ଅଧିକାରୀ ମାଓ ମୁବାକିବଲା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।ମାଲକାନଗିରିରେ ଆଉ ମାଓ ସମସ୍ୟା ନଥିବା ବେଳେ ଛତିଶଗଡ ମାଓବାଦୀ ଓଡିଶା ପାଇଁ ବିପଦ ପାଲଟିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

  • ମାଓ ଇଲାକାରେ ନିର୍ବାଚନ ଚିନ୍ତା
  • ସୁରକ୍ଷିତ ନିର୍ବାଚନ ଲାଗି ପୁଲିସର ପ୍ରସ୍ତୁତି
  • ମାଲକାନଗିରିରେ ଆଉ ନାହିଁ ମାଓ ସମସ୍ୟା
  • ଛତିଶଗଡ ମାଓବାଦୀଙ୍କ ଉପରେ ନଜର

କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର ମାଓ ଉପଦ୍ରୁତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରି ଦମ୍ଭୋକ୍ତି ପ୍ରକାଶ କରିଥିଲେ ପୁଲସ ଡିଜି ଅରୁଣ କୁମାର ଷଡଙ୍ଗୀ । ପୂର୍ବରୁ ଆନ୍ଧ୍ର-ଓଡିଶା ସୀମାରେ ଅବାଧ ନିର୍ବାଚନ କରାଇବା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟୁଥିଲା । ମାଓବାଦୀଙ୍କ ନାଲି ଆଖି ଯୋଗୁ ବିଚ୍ଛିନ୍ନାଞ୍ଚଳରେ ମତଦାନ ହୋଇ ପାରୁନଥିଲା । ହେଲେ ଏଥର ବର୍ତମାନର ସ୍ୱାଭିମାନ ଅଞ୍ଚଳରେ କେମିତି ସୁରୁଖୁରରେ ଭୋଟ ପଡିବ ସେଥିପାଇଁ ଗ୍ରାଉଣ୍ଡ ଜିରୋ ସ୍ଥିତି ଉପରେ ନଜର ରଖିଛି ପୁଲିସ । ତେବେ ମାଲକାନଗିରିରେ ମାଓ ଗତିବିଧି ନଥିବା ବେଳେ ସୀମା ଆରପଟେ ମାଓବାଦୀ ସକ୍ରିୟ ରହିଛନ୍ତି । ସେମାନେ ଓଡିଶା ଭିତରକୁ ଆସି ନିର୍ବାଚନ ଭଣ୍ଡୁର କରିବାର ଯଥେଷ୍ଟ ସମ୍ଭାବନା ରହିଛି, ତେଣୁ ମାଓ ଗତବିଧି ଉପରେ ସ୍ୱତନ୍ତ୍ର ନଜର ରଖିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି ।

  • ଆଉ ହେଲିକପ୍ଟରରେ ଯିବେନି ପୁଲିଂ କର୍ମଚାରୀ
  • ନିଜ ବୁଥରେ ଭୋଟ୍ ଦେବେ ସ୍ୱାଭିମାନ ଅଞ୍ଚଳବାସୀ

ପୂର୍ବରୁ ସ୍ୱାଭିମାନ ଅଞ୍ଚଳରେ ଭୋଟ ନଦେବା ଲାଗି ମାଓବାଦୀ ସିଧାସଳଖ ଧମକ ଦେଉଥିଲେ । କାଁ ଭାଁ ସ୍ଥାନରେ ହେଲିକପ୍ଟର କିମ୍ବା ମୋଟର ଲଞ୍ଚ୍ ଯୋଗେ ପୁଲିଂ କର୍ମଚାରୀଙ୍କୁ ପଠାଇ ପୁଲିସ କ୍ୟାମ୍ପ ନିକଟରେ ମତଦାନ ହେଉଥିଲା । ଗୋଟିଏ ସ୍ଥାନରେ ଅନେକ ବୁଥକୁ ଏକାଠି କରି କେବଳ କାଗଜ କଲମରେ ମତଦାନ କରୁଥିଲା ପ୍ରଶାସନ । ହେଲେ ଏଥର କିନ୍ତୁ ସ୍ୱାଭିମାନ ଅଂଚଳର ସମସ୍ତ ନର୍ଦ୍ଧାରିତ ବୁଥରେ ଭୋଟ ଗ୍ରହଣ ହେବ । କେବଳ ମାଲକାନଗିରି ନୁହେଁ ମାଓ ପ୍ରଭାବିତ କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ କେମିତି ଅବାଧ ନିରପେକ୍ଷ ନିର୍ବାଚନ ହେବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି ।