ରାଜନୀତିରୁ ରାସ୍ତାକଡ ଜଳଖିଆ ଦୋକାନ: ବରା ବିକୁଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ।

2,585

କନକ ବ୍ୟୁରୋ: ରାସ୍ତାକଡରେ ଗୋଟେ ଷ୍ଟଲ୍ । ଷ୍ଟଲ ଉପରେ ଗରମ ତେଲରେ ଟକମକ ଫୁଟୁଛି ବରା । ତେଲ କଡେଇ ପାଖରେ ଅଛି ଭିନ୍ନ ଭିନ୍ନ ତେଲଛଣା ସୁଆଦିଆ ଜିନିଷ । ରାସ୍ତା କଡରେ ଏକ ଟିଫିନ୍ ଷ୍ଟଲ୍ କରି ବିକ୍ରି କରୁଥିବା ଏ ବ୍ୟକ୍ତି ଜଣକ ସାଧାରଣ ଜନତା ନୁହଁନ୍ତି । ବରଂ ସେ ଜଣେ ପୋଖତ ରାଜନେତା । ଅର୍ଥାତ ସେ ଥିଲେ ଜଣେ ବିଧାୟକ ପ୍ରାର୍ଥୀ ।

ସମୟ ଥିଲା ରାଜନୀତିରେ ତାଙ୍କର ଦବଦବା ଥିଲା । ମାତ୍ର କାଳକ୍ରମେ ରାଜନୀତିରେ ତାଙ୍କୁ ଅଣଦେଖା କରାଯିବାରୁ ଏବଂ ରାଜନୀତିର ସଂଜ୍ଞା ଧିରେ ଧିରେ ବଦଳିବାରୁ ତାଙ୍କର ବିତୃଷ୍ଣାଭାବ ପଳେଇ ଆସିଲା । ଆଉ ସେ ରାଜନୀତିକୁ ସନ୍ୟାସ ନେଇ ଦୂରେଇ ରହିଲେ ଏବଂ ବଞ୍ଚିବା ପାଇଁ ବ୍ୟବସାୟକୁ ମାଧ୍ୟମ କଲେ ।

କଟକ ବଡମ୍ବା ବିଧାରପୁର ଗାଁର ମଙ୍ଗୁଳି ନାୟକ । ୧୯୯୫ ମସିହାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ଲଢୁଥିବା କହିଛନ୍ତି । ସେ ବିଜୁ ବାବୁଙ୍କ ବିଚାରଧାରାରେ ଅନୁପ୍ରାଣିତ ଥିଲେ ଏବଂ ବିଜୁ ବାବୁଙ୍କ ସହ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ଥିଲା । ହେଲେ ଜନତା ଦଳ ତାଙ୍କୁ ଟିକେଟ୍ ନଦେବାରୁ ସ୍ୱାଧୀନ ଭାବେ ସେ ଛିଡା ହୋଇ ପରାଜିତ ହୋଇଥିଲେ । ପରେ ଘରର ପରିସ୍ଥିତି ପାଇଁ ୨୦୦୪ ମସିହା ପର ଠାରୁ ସେ ରାଜନୀତିରୁ ଅବ୍ୟାହତି ନେଇ ଏହି ଜଳଖିଆ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ।

ତେବେ ଗରିବି ଭିତରେ ସଂସାର ରଥ ଆଗକୁ ଗଡାଉଥିବା ମଙ୍ଗୁଳି ପରିଶ୍ରମ କରି ପେଟ ପୋଷିଛନ୍ତି ହେଲେ କୌଣସି ପରିସ୍ଥିତିରେ କାହାକୁ ହାତ ପାତି ନାହାନ୍ତି । ବରଂ ହୀନ ରାଜନୀତିରେ ରହି ତାଙ୍କୁ କିଛି ମିଳିନି- ରହିବାକୁ ଜାଗା ଖଣ୍ଡେ ନାହିଁ କି ଘର ଖଣ୍ଡେ ତେଣୁ ନିଜ କର୍ମ ଉପରେ ବିଶ୍ୱାସୀ ମଙ୍ଗୁଳି ଏବେବି ନିଜ ଅଞ୍ଚଳର ପାଇଁ ଉଦାହରଣ ପାଲଟିଛନ୍ତି ।