ମାଟି ଖୋଳିବାକୁ ଅନୁମତି ନେଇ ମୋରମ ଚୋରା ଚାଲାଣ । ବେଆଇନ୍ ବ୍ଲାଷ୍ଟିଂ କରି ଶହଶହ ଟ୍ରିପ୍ ମୋରମ ନେଇଯାଉଛନ୍ତି ମାଫିଆ

18

କନକ ବ୍ୟୁରୋ: ମାଟି ଖନନ ପାଇଁ କାଗଜପତ୍ର କରି ମୋରମ ଖୋଳି ମାଲାମାଲ ଠିକାଦାର । ହେଲେ ଏହାର ଟେର ପାଉନି ପ୍ରଶାସନ । ଅନୁମତି ଦେଇ ଯାଞ୍ଚରେ ଯାଉନାହାନ୍ତି ଅଧିକାରୀ । ତେଣୁ ମାଟି ବଦଳରେ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତବାସୀ ।

  • ମାଟି ଆଳରେ ଲୁଟ୍ ହେଉଛି ମୋରମ!
  • ମାଫିଆ ସାଜିଛନ୍ତି ଖୋଦ୍ ଠିକାଦାର!

ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡିଖାଣିଆ ଅଞ୍ଚଳରୁ ଆରକେଡି ଏକ ଠିକା ସଂସ୍ଥା ଦିନରାତି ଶହଶହ ଟ୍ରିିପ୍ ମୋରମ ବୋହି ନେଉଛି । ତେବେ କୁଲଡିହା ଅଭୟାରଣ୍ୟ ପାଦଦେଶରୁ ମୋରମ ଖନନ ଯୋଗୁଁ ୪୦ରୁ ୫୦ ଫୁଟର ଗାତ ହୋଇଛି । ଏହି ଗାତ ଜୀବଜନ୍ତୁଙ୍କ ପାଇଁ ମରଣଯନ୍ତା ବୋଲି ଅଭିଯୋଗ ହୋଇଛି । ଗୃହପାଳିତ ପଶୁଙ୍କୁ ଚରିବା ପାଇଁ ଛାଡିବାକୁ ଲୋକମାନେ ଭୟ କରୁଛନ୍ତି ।

ନୀଳଗିରିର ବିଭିନ୍ନ ଅଞ୍ଚଳରୁ ଅହରହ ମାଟି, ପଥର ଓ ମୋରମ ଚାଲାଣ ହେଉଛି । ହେଲେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଠିକାଦାର ମଧ୍ୟ ମାଫିଆ ପାଲଟି ଲୁଟିବା ଆରମ୍ଭ କରିଛନ୍ତି । ଭୟରେ ସ୍ଥାନୀୟ ଲୋକ ମୁହଁ ଖୋଲୁନଥିବାରୁ ଗରିବ ଆଦିବାସୀଙ୍କ ଜମିକୁ ସ୍ୱଳ୍ପ ମୂଲ୍ୟରେ ମୋରମ ଚୋରାଚାଲାଣ କରାଯାଉଛି । ସେପଟେ ପ୍ରଶାସନ ଲୋକ ଦେଖାଣିଆ ଘଟଣାସ୍ଥଳକୁ ଯାଇ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ଜରିମାନା କାଟି ଚୁପ୍ ବସିଥିବା ଅଭିଯୋଗ ହୋଇଛି ।