ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକଳ୍ପ ପରେ ଜୋର ଧରିଲା ରାଜନୀତି ! ବିରୋଧୀ କହିଲେ, ଏହା ଏକ ଛଳନାମୟ ସଂକଳ୍ପ ।

111

କନକ ବ୍ୟୁରୋ : ରାଜନୀତିରେ ମହିଳାଙ୍କ ସ୍ଥାନକୁ ଅଧିକ ସୁରକ୍ଷିତ କରିବାକୁ ବିଧାନସଭା ଏବଂ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ପାଇଁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଆଣିବା ପରେ ଉଭୟ ବିଜେପି ଏବଂ କଂଗ୍ରେସ ବିଜେଡି ଆଗରେ କେତେକ ପ୍ରଶ୍ନ ରଖିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ମହିଳାଙ୍କୁ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଦେବାକୁ କହିବା କେବଳ ଏକ ନିର୍ବାଚନୀ ଚାଲ । ପ୍ରଥମେ ନବୀନ ସ୍ପଷ୍ଟ କରନ୍ତୁ ବିଜେଡି ୩୩ଭାଗ ମହିଳାଙ୍କୁ ଟିକଟ୍ ଦେବ ତ ? ସେଥିରୁ ଜଣାପଡିବ ମହିଳାଙ୍କ ପ୍ରତି ତାଙ୍କର ଆନ୍ତରିକତା କେତେ । ବିଜେପି କହିଛି, ଏହା ଏକ ଛଳନାମୟ ସଂକଳ୍ପ । ୨୦୧୯ ନିର୍ବାଚନ ପାଇଁ ୩୩ଭାଗ ମହିଳାଙ୍କୁ ବିଜେଡି ଯଦି ପ୍ରାର୍ଥୀ ଦିଏ, ତେବେ ବିଜେପି ମଧ୍ୟ ସେହି ଆସନରେ ମହିଳା ପ୍ରାର୍ଥୀ ଦେବ ବୋଲି କହିଛି ।

ସୂଚନା ଅନୁଯାୟୀ, ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥନା ସଂରକ୍ଷଣ ରହିବା ସହ ପଂଚାୟତରେ ମଧ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପାଇଁ ଗତକାଲି ସଂକଳ୍ପ ବିଲ୍ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ବ୍ୟବସ୍ଥା କରିବାକୁ ଏହି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ । ତେବେ ସଂକଳ୍ପ ପାରିତ ହେଲେ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।