ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?

201

କନକ ବ୍ୟୁରୋ: ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି ଅନେକ ଛାନିଆ ହୋଇପଡିଥିବା ଚର୍ଚ୍ଚା ହେଉଛି ।

ପାଂଚ ଦିନର ଗଣତି ପରେ ଶେଷ ହୋଇଛି ଟଙ୍କା ଗଣତି । ରବିବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗୀରରେ ଓ ଶନିବାର ସୁଦ୍ଧା ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ ଓ ଝାରଖଣ୍ଡରେ ଜବତ ଟଙ୍କାର ଗଣତି ଶେଷ ହୋଇଛି । ସୂଚନା ଅନୁସାରେ, ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ପାଖାପାଖି ୪୫୦ କୋଟି ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି ।

ଟଙ୍କା ଗଣତି ପରେ ଏବେ ମଦ ବ୍ୟବସାୟୀଙ୍କ ସମ୍ପତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଥିବା ବହୁ ସ୍ଥାବର – ଅସ୍ଥାବର ସମ୍ପତି, ଆକଳନ କରୁଛନ୍ତି ଆୟକର ଅଧିକାରୀ ।

ଟଙ୍କା ଗଣତି ପରେ ଏବେ ସମସ୍ତଙ୍କ ନଜର, ଆଗକୁ କଣ ହେବ? ତଦନ୍ତ କେଉଁ ଦିିଗରେ ଯିବ? ତଦନ୍ତ ହେଲେ, ଆଉ କଣ ବାହାରିବ? ଏହା ଜାଣିବାକୁ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ପରବର୍ତି ପଦକ୍ଷେପ କଣ ରହିବ, ସେ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ହେଲେ, କୋଟି କୋଟି ଟଙ୍କା ଜବତ ହୋଇଥିବାରୁ ଓ ବେଆଇନ ଭାବେ ଅର୍ଥ ଠୁଳ କରାଯାଇଥିବାରୁ ଏହି ମାମଲାରେ ଖୁବ୍ ଶୀଘ୍ର ଇଡି ତଦନ୍ତ କରିବାକୁ ଆସିପାରେ ବୋଲି ଆଲୋଚନା ହେଉଛି । ସେହିପରି ବିରୋଧୀ ଦଳ ବିଜେପି ମାମଲାର ସିବିଆଇ ତଦନ୍ତ ଦାବି କରୁଥିବାରୁ, ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏଂଟ୍ରି ମାରିପାରେ ବୋଲି କୁହାଯାଉଛି ।

ଇଡି ଓ ସିବିଆଇ ତଦନ୍ତ କଲେ ମାମଲା ନୂଆ ମୋଡ ନେବ । କେଉଁମାନେନ ଏତେ ପରିମାଣର ଟଙ୍କା ଠୁଳ କରିଥିଲେ ଓ କେଉଁମାନେ ସହଯୋଗ କରିଥିଲେ, ସେମାନଙ୍କୁ ପଚରାଉଚୁରା କରିବାକୁ ଡାକିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ ମଧ୍ୟ କରିପାରେ ।

ଇଡି ଓ ସିବିଆଇ କଥା ସାମନାକୁ ଆସିବା ପରେ କଳା ସାମ୍ରାଜ୍ୟର ସହଯୋଗୀ ସାଜିଥିବା ଅନେକଙ୍କ ଛାତିରେ ଏବେ ଛନକା ପଶିଲାଣି । କେଉଁଦିନ କାହାର ଯେ ପାଳି ପଡିବ ତାକୁ ନେଇ ଚିନ୍ତାରେ ପଡିଲେଣି ।