ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ରାଜନୀତି ! ବନ୍ଦ ପାଳନ ବନାମ ବୟାନବାଜି

477

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ପ୍ରଶ୍ନର ଉତ୍ତର ଜାଣିବାକୁ ଯାଇ ୩ ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡିଛନ୍ତି । ସ୍ମିତାଙ୍କ ମୃତ୍ୟୁ ନେଇ ଏସପି ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ଯାଜପୁରରେ ବନ୍ଦ ପାଳନ କରାଯାଉଛି । ପୂରା ଜିଲ୍ଳାରେ ୧୨ ଘଂଟିଆ ବନ୍ଦ ପାଳନ କରିଛି ବିଜେପି । ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ନାରାବାଜି କରି ବିକ୍ଷୋଭ କରିଛନ୍ତି । ଫଳରେ ଦୋକାନବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଛି । ପୋଲିସ ଅପରାଧୀକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ବିଜେପି ବନ୍ଦ ପାଳନ କରିଛି । ପୋଲିସ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରେମ ଓ ଆତ୍ମହତ୍ୟା କହି ପରକୀୟାପ୍ରୀତିର ନୂଆ କାହାଣୀ ଯୋଡିଥିବା ବିଜେପି କହୁଛି ।

ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଓ କଂଗ୍ରେସ ଘଟଣାର ସତ ପ୍ରକାଶ କରିବାକୁ ଉଦ୍ୟମ କରୁଥିବା ବେଳେ ବିଜେଡି ଘଟଣାକୁ ଘଉଡାଇବାକୁ ଉଦ୍ୟମ କରୁଥିବା ନିରଂଜନ କହିଛନ୍ତି । ଏହି ଘଟଣାରେ କଂଗ୍ରେସ ବନ୍ଦ ଡାକରା ଦେବ ନାହିଁ । କି କୌଣସି ଡ୍ରାମା କରିବନି ବୋଲି ନିରଞ୍ଜନ କହିଛନ୍ତି । ତେବେ ଏହା କଣ ଏକ ରାଜନୈତିକ କମ୍ପିଟିସନ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ ।

ଘଟଣାରେ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି କି ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଚରିତ୍ର ସଂହାର କରିବା କାହାରି ଅଧିକାର ନାହିଁ । ପ୍ରଶାସନ କେମିତି ଜାଣିଲା କାହା ସହ କାହାର କି ସମ୍ପର୍କ ଥିଲା ବୋଲି । ଯିଏ ପାପ କରିଛି ସେ ଦଣ୍ଡ ପାଇବ ଆଉ ବିଜେପି ଘଟଣାକୁ ନେଇ ରାଜନୀତି ନକରୁ ବୋଲି ତାରା କହିଛନ୍ତି ।

ବିଜେପି, କଂଗ୍ରେସର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ସମ୍ବେଦନଶୀଳ ଘଟଣାକୁ ନେଇ କୌଣସି ରାଜନୀତି ନହେଉ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ତେବେ ଦିନକୁ ଦିନ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଯେତିକି ରହସ୍ୟମୟ ହେଉଛି ମୃତ୍ୟୁ ପରର ରାଜନୀତି ଘଟଣାକୁ ସେତିକି ସାଙ୍ଘାତିକ କରୁଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ବନ୍ଦ ହେଉ ଆଉ ପୋଲିସ ଖାମଖିଆଲି ନହୋଇ ସଠିକ ତଦନ୍ତ କରି ଦୋଷୀକୁ ବାନ୍ଧୁ ବୋଲି ସାଧାରଣରେ ଦାବି ହୋଇଛି ।