ପଞ୍ଚାୟତରୁ ପୌର ନିର୍ବାଚନ । ହେଲେ ଥମୁନି ରାଜନୈତିକ ହିଂସାକାଣ୍ଡ । ଜୟପୁରରେ ଗୁଳି, ଢେଙ୍କାନାଳରେ ବୀଭତ୍ସ ହତ୍ୟା

82

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର ସରଗରମ ଥିବାବେଳେ, କୋରାପୁଟ ଜୟପୁରରେ ନିର୍ବାଚନୀ ହିଂସାକାଣ୍ଡର ଅଭିଯୋଗ ହୋଇଛି । ଜଣେ କଂଗ୍ରେସ କର୍ମୀଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ହାତୁଡିରେ ପିଟିବା ପରେ ଗୁଳିମାରି ଫେରାର ହୋଇଯାଇଛନ୍ତି । ଗୁଳି ମାରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଘେରାଉ କରିବା ସହ ଧାରଣାରେ ବସିଥିଲେ ବିଧାୟକ ତାରା ବାହିନୀପତି । ତେବେ ତାରାଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

  • ଢେଙ୍କାନାଳରେ ନିର୍ବାଚନୀ ପରବର୍ତ୍ତୀ ହିଂସା
  • ସରପଞ୍ଚ ସମର୍ଥକଙ୍କୁ ହତ୍ୟା ଅଭିଯୋଗ

ଦୋଳ ଯାତ୍ରା ଚାଲିଥିବା ବେଳେ ଢ଼େଙ୍କାନାଳର ମୋଟାଙ୍ଗା ଗାଁରେ ଘଟିଛି ଅଘଟଣ । ବିକାଶ ନାୟକ ନାମଙ୍କ ଜଣେ ଯୁବକଙ୍କୁ ନିଶଂସ ଭାବେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ବିକାଶ ବିଜୟୀ ସରପଞ୍ଚଙ୍କ ସମର୍ଥକ ହୋଇଥିବାରୁ ହାରି ଯାଇଥିବା ପ୍ରାର୍ଥୀଙ୍କ ସମର୍ଥକମାନେ ତାଙ୍କୁ ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

ଗୋବିନ୍ଦପୁର ଥାନା ଅଧୀନ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତରେ ନିର୍ବାଚନ ହାର,ଜିତକୁ ନେଇ ଲାଗି ରହିଛି ଛକାପଞ୍ଝା । ସରପଞ୍ଚଙ୍କ ଘର ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ । ତେବେ ଏହାରି ଭିତରେ ବାଙ୍କୀ ରାଜନୈତିକ ହିଂସାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । କିଭଳି ପରାଜୟର ପ୍ରତିଶୋଧ ନେଉଛନ୍ତି ହାରିଯାଇଥିବା ଗୋଷ୍ଠୀ ତାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ହୋଲିରେ ପଞ୍ଚାୟତ ପରାଜୟର ପ୍ରତିଶୋଧ ନେଇଛନ୍ତି ହାରିଯାଇଥିବା ଗୋଷ୍ଠୀ । ବାଙ୍କୀ ଉପଖଣ୍ଡର ବୈଦେଶ୍ୱର ଥାନା ଚଢେଇବନ୍ଧ ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜୟୀ ଗୋଷ୍ଠୀ ଶୋଭାଯାତ୍ରାରେ ବାହାରି ରଙ୍ଗ ଖେଳି ଖେଳି ଯାଉଥିଲା ବେଳେ ବିରୋଧ କରିଥିଲେ ପରାଜିତ ଗୋଷ୍ଠୀ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।