ସାରା ଓଡିଶାରେ ପାଳନ ହେଲା ବିଶ୍ୱ ପଖାଳ ଦିବସ । ପଖାଳ ଖାଇ, ପଖାଳ ଦିବସ ପାଳନ କଲେ ନେତା, ଜନତା

154

କନକ ବ୍ୟୁରୋ: ବିଶ୍ୱ ପଖାଳ ଦିବସ ପାଳନ କରିଛି ସାରା ଓଡିଶା । ଓଡିଆଙ୍କ ପାରମ୍ପରିକ ଓ ପ୍ରିୟ ଖାଦ୍ୟ ପଖାଳ । ପଖାଳ ଦିବସରେ ନେତା, ଜନତା ସମସ୍ତେ ସୁସ୍ୱାଦୁ ବ୍ୟଞ୍ଜନ ସହ ପଖାଳର ମଜା ନେଉଥିବା ଦେଖିବାକୁ ମିଳିଛି । ପଖାଳ କଂସା, ଚାରିପାଖେ ସୁସ୍ୱାଦୁ ବ୍ୟଞ୍ଜନ ସହ ବିଶ୍ୱ ପଖାଳ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କହିଛନ୍ତି ପଖାଳ ତାଙ୍କର ପସନ୍ଦର ଖାଦ୍ୟ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଆଙ୍କ ପାରମ୍ପରକି ଖାଦ୍ୟ ପଖାଳ ଖାଇ, ପଖାଳ ଦିବସ ପାଳନ କରିଛନ୍ତି । ଧର୍ମେନ୍ଦ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ ପଖାଳ ଦିବସର ଅଭିନନ୍ଦନ ଜଣାଇଛନ୍ତି । ଲେଖିଛନ୍ତି, ପଖାଳର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ । ସେହିପରି ବୟାନ ପାଇଁ ସର୍ବଦା ଚର୍ଚ୍ଚିତ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ପରିବାର ସହ ଘରେ ପଖାଳ ଦିବସ ପାଳନ କରିଛନ୍ତି । ସୁର ନିଜେ ପଖାଳ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ପଖାଳ ଖୁଆଇଛନ୍ତି ।

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ପରିବାରର ସମସ୍ତ ସଦସ୍ୟଙ୍କ ସହ ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି । କଦଳୀ ପତ୍ରରେ ବଡି ଚୁରା, ମାଝ ଭଜା, ଶାଗ ଭଳି ସୁସ୍ୱାଦୁ ବ୍ୟଞ୍ଜନ ଓ କଂସାରେ ପଖାଳ । ଭୂଇଁରେ ବସି ପଖାଳର ମଜା ନେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ସେହିପରି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଘରେ ପଖାଳ ଦିବସ ପାଳନ ପାଇଁ ଏ ପ୍ରସ୍ତୁତି । ମାଛ ଭଜା ହେଉଛି, ଶାଗ ଖରଡା ଚାଲିଛି । ଆଉ ରୋଷେଇ ସରିବା ପରେ ପରିବାର ଲୋକଙ୍କ ସହ ବସି ପଖାଳ ଖାଇ ବିଶ୍ୱ ପଖାଳ ଦିବସ ପାଳନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

ଓଡିଆଙ୍କ ପାରମ୍ପାରିକ ଖାଦ୍ୟ ହେଉଛି ପଖାଳ । ସେ ଗରିବ ହେଉ କି ଧନୀ, ସମସ୍ତ ଓଡିଆଙ୍କ ଏହା ହେଉଛି ପସନ୍ଦର ଖାଦ୍ୟ । ଖଟି ଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ । ତେବେ ଏହି ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇ ଆସୁଛି ।