ନକଲି ଔଷଧ କାରବାରରେ ପୋଲିସର ଜୋରଦାର ତନାଘନା: ୪ଜଣ ଫେରାର ଥିବାରୁ ଫୋନ ଟ୍ରେସ କରି ଧରିବାକୁ କରାଯାଉଛି ଉଦ୍ୟମ

210

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭିଆର ଏଜେନ୍ସି ଓ ପୂଜା ଏଂଟରପ୍ରାଇଜେସ୍ର ୪ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏହି ଦୁଇ ଏଜେନ୍ସିର ଲାଇସେନ୍ସ ବାତିଲ କରାଯାଇଛି । ଏହା ପରେ ଆଜି ଦୁଇ ଏଜେନ୍ସି କାର୍ଯ୍ୟାଳୟକୁ ଯିବ ପୋଲିସ । ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରାଯିବ । ଡ୍ରଗ୍ସ କଂଟ୍ରୋଲ ଟିମ୍ ଯେଉଁ ସବୁ ଟ୍ରେଡିଂ ବିଲ୍ ଜବତ କରିଛି ସେସବୁକୁ ଯାଂଚ କରାଯିବ । ଅଭିଯୁକ୍ତ ଫେରାର ଥିବାରୁ ତାଙ୍କ ଫୋନ୍ ଟ୍ରେସ୍ କରି ଧରିବାକୁ ଚେଷ୍ଟା କରାଯିବ । ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ଯାଉଁଳିଆପଟ୍ଟିର ପୂଜା ଏଂଟରପଆଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନ ଏହି ଔଷଧ ଯୋଗାଣ କରୁଥିଲେ । ଏହାକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ବିହାରର ପାଟଣା, ଗୟା ସହରକୁ ଅଣାଯାଇଥିଲା । ଯାଂଚ ବେଳେ ୧୫ ଲକ୍ଷ ଟଙ୍କାର ନକଲି ଔଷଧ ତଥା ଟେଲମା-୪୦ ଓ ଟେଲମା-ଏଏମ୍ ଡ୍ରଗ୍ସ କଂଟ୍ରୋଲ ବିଭାଗ ଜବତ କରିଥିଲା । ଆଉ ଏକ ବଡ଼ ସୂଚନା ହେଉଛି, ଜବତ ହୋଇଥିବା ଔଷଧର ନମୁନା ଗ୍ଲେନମାର୍କ କଂପାନୀକୁ ପଠାଯାଇଥିଲା । କଂପାନୀ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ଯେଉଁ ନମୁନା ପଠାଯାଇଛି, ତାକୁ ତିଆରି କରିନାହିଁ ଗ୍ଲେନମାର୍କ ।