ହାଇଦରକୁ ଧରିବା ପାଇଁ ବଡ଼ ଅପରେସନ । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ହେଲା ଖସଡା । 

209

କନକ ବ୍ୟୁରୋ: ପୋଲିସ ଆଖିରେ ଧୁଳି ଦେଇ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ପୋଲିସର ତନାଘନା । ଭୁବନେଶ୍ୱର ରେଳ ଷ୍ଟେସନରେ ମୋବାଇଲରେ ହାଇଦରର ଫଟୋ ଦେଖାଉଛି ପୋଲିସ । ପୋଲିସ କର୍ମଚାରୀ ଏବଂ ସାଦା ପୋଷାକଦାରୀ ଅଧିକାରୀ ହାଇଦର ଫଟୋ ଦେଖାଇ ଦୋକାନୀ, କୁଲି ଓ ସାଧାରଣ ଲୋକଙ୍କୁ ପଚାରୁଛନ୍ତି । କାରଣ ପୋଲିସ ଆଶଙ୍କା କରୁଛି, ହାଇଦର ଟ୍ରେନ କିମ୍ବା ବସ ଯୋଗେ ଏରିଆରୁ ପାର ହୋଇଯାଇଥାଇପାରେ ।

କୁହାଯାଉଛି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ପୋଲିସ ଆରମ୍ଭ କରିବାକୁ ଯାଉଛି ବଡ ଅପରେସନ । ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ପରେ, କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ରାଜ୍ୟର ସମସ୍ତ ଏସପିମାନଙ୍କୁ ସତର୍କ କରାଇ ଦିଆଯାଇଛି । ୬ଟି ଟିମ ହାଇଦରକୁ ଧରିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଖୁବଶୀଘ୍ର ଧରାପଡିଯିବ ହାଇଦର ।

ଗ୍ୟାଙ୍ଗଷ୍ଟର ହାଇଦର ଏକ ସାଧାରଣ ଅପରାଧୀ ନଥିଲା । ତେଣୁ ଯେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ ଥିଲା, ତାହା କରାଯାଇନଥିବା ସ୍ପଷ୍ଟ ଜଣାପଡୁଛି ।

ଇଏ ହେଉଛି ସେହି ଗ୍ୟାଙ୍ଗଷ୍ଟର ହାଇଦର, ସେହି ଦୁର୍ଦ୍ଦାନ୍ତ ଅପରାଧୀ, ଯାହାର ଇସାରାରେ, ୨୦୦୫ ମେ ୩୧ ତାରିଖରେ ସେକ ସୁଲେମାନର ସାନଭାଇ ସେକ ଚୁନାକୁ ହତ୍ୟା କରାଯାଇଥିଲା । ୨୦୦୬ ରଶ୍ମୀରଂଜନ ଅପହରଣ ଏବଂ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଥିଲା ହାଇଦର । ଏହି ଦୁଇଟି ମାମଲାରେ ହାଇଦର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି । ତେବେ ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ତାକୁ ଦୋଷମୁକ୍ତ କରାଯାଇଥିଲା । ବାଇଟ-ଶରତ ଚନ୍ଦ୍ର ସାହୁ, ହାଇଦରକୁ ଗିରଫ କରିଥିବା ପୋଲିସ ଅଧିକାରୀ

କଟକ ଏସସିବିରେ ଯେତେବେଳେ ହାଇଦର ଚିକିତ୍ସା ହେବା ପାଇଁ ଆସିଥିଲା, ସେତେବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମୀଙ୍କୁ ଖାଇବାରେ ନିଶା ଦେଇଥିଲା । ପୋଲିସ କର୍ମୀ ଜଣଙ୍କ ଅଚେତ ହେବାର ଫାଇଦା ଉଠାଇ ଫେରାର ହୋଇଯାଇଥିଲା ହାଇଦର ।