ଆରମ୍ଭ ହେଲା ଟିକାଉତ୍ସବ, ହେଲେ ରାଜ୍ୟରେ ଟିକାର ଘୋର ଅଭାବ । ମନ୍ତ୍ରୀ ସୁଶାନ୍ତ ସିଂ କହିଲେ ଟିକା ବଣ୍ଟନରେ କରାଯାଉଛି ପାତର ଅନ୍ତର

93

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାରଠାରୁ ଦେଶରେ ପାଳନ ହେଉଛି କରୋନା ଟିକା ମହୋତ୍ସବ । ଲୋକଙ୍କୁ କୋଭିଡ ଟିକା ନେଇ ସଚେତନ କରିବା, ଟିକାକରଣ ବଢାଇବା ସହ ଟୀକା ନଷ୍ଟ ନକରିବାକୁ ନେଇ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଉଛି । କିନ୍ତୁ ଚାହିଦା ଅନୁସାରେ ଓଡିଶାକୁ ଟିକା ଯୋଗାଣ କମ ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଟିକା ଉତ୍ସବକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ଟିକା ଯୋଗାଣରେ ପାତରଅନ୍ତର ହେଉଥିବା ଅଭିଯୋଗ ଆଣିଲେ ମନ୍ତ୍ରୀ । ଟିକାକରଣରେ ରାଜ୍ୟ ଅଗ୍ରଣୀ ଭୁମିକା ଗ୍ରହଣ କରୁଥିବା ବେଳେ, ଚାହିଦା ପରିମାଣର ଟିକା ଦେଉନି କେନ୍ଦ୍ର । ଏପଟେ ମନ୍ତ୍ରୀଙ୍କ ଅଭିଯୋଗର ଉତର ରଖିଛି ବିଜେପି । ମନ୍ତ୍ରୀଙ୍କ ବୟାନକୁ ଦାୟିତ୍ୱହୀନ କହିବା ସହ ଓଡିଶାକୁ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଆଉ କଂଗ୍ରେସ କହିଛି, କରୋନାର କାୟା ଭୟଙ୍କର ହେଉଥିବା ବେଳେ ରାଜନୀତି ଛାଡି ଟିକା କିଣନ୍ତୁ ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ପର୍ଯ୍ୟାପ୍ତ ପରିମାରର ଟିକା ନଥିବାରୁ ୯୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିବା ବେଳେ କେବଳ ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଶନିବାର ୧ ଲକ୍ଷ ୧୩ ହଜାର ୫୬୩ ଜଣଙ୍କୁ ଟିକା ଦିଆଯାଇଛି । ଶନିବାର ସୁଦ୍ଧା ରାଜ୍ୟରେ ମୋଟ ୪୨ ଲକ୍ଷ ୯୭ ହଜାର ୩୨ ଜଣଙ୍କୁ ଟିକାକରଣ ହୋଇଛି । ରାଜ୍ୟରେ ୨ ଲକ୍ଷ ୩୩ ହଜାର ୬୫୮ ଡୋଜ୍ କୋଭିଶିଲ୍ଡ ଓ ୭୭ ହଜାର ୯୬୦ ଡୋଜ୍ କୋଭାକ୍ସିନ ଟିକା ମହଜୁଦ ଅଛି ।

କରୋନାର ଦ୍ୱିତୀୟ ଲହର ଏବେ ଓଡିଶାରେ ମଧ୍ୟ ପ୍ରଭାବ ବିସ୍ତାର କରିଚାଲିଛି । ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁସାରେ, କୋଭାକ୍ସିନ ଟିକା କେବଳ ଭୁବନେଶ୍ୱରରେ ଦିଆଯାଉଥିବାରୁ ସମସ୍ୟା ହେବାର ସମ୍ବାବନା କମ୍ । କିନ୍ତୁ ଯଦି ଦିନେ ଦୁଇ ଦିନ ଭିତରେ ରାଜ୍ୟକୁ ଟିକା ନଆସେ, ତେବେ ଅନେକ ଜିଲ୍ଲାରେ ଟିକାକରଣ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।