ମହିଳାଙ୍କୁ ନାଲିଆଖି ଦେଖାଇଲେ ପାରାଦୀପ ବିଧାୟକ : ଅଭିଯୋଗ ପାଇଁ ଆସିଥିବା ମହିଳାଙ୍କ ସହ କଥା କଟାକଟି ଭିଡ଼ିଓ ଭାଇରାଲ

209

କନକ ବ୍ୟୁରୋ : ମହିଳାଙ୍କୁ ନାଲି ଆଖି ଦେଖାଇ ଗାଳିଗୁଲଜ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ସମୟର ଭିଡିଓ ଏବେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ପାରାଦୀପ ନିର୍ବାଚନ ମଣ୍ଡଳିର ବାଗେଇ ପଂଚାୟତର । ଗତ ୧ ତାରିଖରେ ନିଜ ନିର୍ବାଚନ ମଣ୍ଡଳିକୁ ବିଧାୟକ ସମ୍ବିତ ରାଉତରାୟ ଗସ୍ତରେ ଯାଇଥିଲେ ।

ସେହି ସମୟରେ ବନ ବିହାରୀ ମଠର ରୂପାନ୍ତର କାର୍ଯ୍ୟ ଦେଖିବାକୁ ଯାଇଥିଲେ ବିଧାୟକ । ଏହି ସମୟରେ ସ୍ଥାନୀୟ ଅଂଚଳର ଜଣେ ମହିଳା ଆସି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ଆଗରୁ ତ କେବେ ଆସୁନଥିଲେ । ମଠରେ ଅନେକ ଯାନି ଯାତ୍ରା ହୁୁଏ, ସେଥିରେ ତ କେବେ ଯୋଗ ଦେଇ ନାହାନ୍ତି । ହେଲେ ଆଜି କାହିଁକି ଧାଇଁ ଆସିଛ ବୋଲି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ବିଧାୟକ ଉତକ୍ଷିପ୍ତ ହୋଇ ବିଧାୟକ ଚେୟାରରୁ ଉଠିପଡି ଏହା କଣ ତୋ ବାପାର ସଂପତି, ମଠକୁ କେତେ ଟଙ୍କା ଦେଇଛୁ ବୋଲି ପାଲଟା ପ୍ରଶ୍ନ କରିଥିଲେ । ବିଧାୟକ ଓ ମହିଳାଙ୍କ ମଧ୍ୟରେ କଥା କଟାକଟି ସମୟରେ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସେପଟେ ମହିଳାଙ୍କୁ ପାରାଦୀପ ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ଏନେଇ କୁଜଙ୍ଗ ଥାନାରେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଏତଲା ଦିଆଯାଇଛି । ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ କହିଛନ୍ତି, ମାଆଙ୍କୁ ଅସମ୍ମାନ କରିଛନ୍ତି ବିଧାୟକ । ବିଜେଡି ମାଆଙ୍କ ସମ୍ମାନ କଥା କହୁଥିବା ବେଳେ କାହିଁକି ବିଧାୟକ ମହିଳାଙ୍କୁ ଅସମ୍ମାନ କଲେ । ମହିଳାଙ୍କ ସମସ୍ତଙ୍କ ସାମ୍ନାରେ ଅସମ୍ମାନନ କରିବାକୁ ତାଙ୍କୁ ଲୋକେ ଭୋଟ ଦେଇ ଜନ ପ୍ରତିନିଧି କରିଛନ୍ତି କି । ଯେଉଁ ମଠକୁ ନେଇ ମହିଳାଙ୍କୁ ବିଧାୟକ ଗାଳି କରିଛନ୍ତି । ସେହି ମଠକୁ କଣ ବିଧାୟକ ତିଆରି କରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ଆଗାମୀ ଦିନରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ।

ମହିଳାଙ୍କ ସହ କଥା କଟାକଟି ଭିଡିଓ ଭାଇରାଲ ଏବଂ କୁଜଙ୍ଗ ଥାନାରେ ଏତଲା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସମ୍ବିତ ରାଉତରାୟ । କହିଛନ୍ତି, ମହିଳାଙ୍କୁ ବହୁ ବୁଝାଇବା ପରେ ମଧ୍ୟ ନ ବୁଝିନଥିଲେ । ତେଣୁ ଏ କାହାର ବାପାର ଜାଗା ନୁହେଁ, ସରକାର ଟଙ୍କା ଦେଉଛନ୍ତି କାମ ହେବ ବୋଲି କହିଥିବା ବିଧାୟକ ମାନିଛନ୍ତି । ହେଲେ ଏହାକୁ ନେଇ ରାଜନୈତିକ ହୋହଲ୍ଲା କରିବା ବିରୋଧୀ ଦଳଙ୍କ ଚାଲ ବୋଲି କହିଛନ୍ତି ବିଧାୟକ ସମ୍ବିତ ରାଉତରାୟ ।