ପାଠ ପଢ଼ିବାକୁ ଆସିଥିଲେ, ହେଲେ ପ୍ରେମ ପାଇଁ ବିଷ ପିଇଦେଲେ: ହସ୍ପିଟାଲରେ ଛାଡ଼ି ଚାଲିଗଲେ ସନ୍ଦିଗ୍ଧ ଯୁବତୀ 

2,173

କନକ ବ୍ୟୁରୋ: ପାଠ ପଢ଼ିବା ପାଇଁ ପିଲାଟି ଆସିଥିଲା ଭୁବନେଶ୍ୱର । ହଠାତ୍ ଫୋନ୍ ଆସିଲା, ଆପଣଙ୍କ ପୁଅ ବିଷ ପିଈ ଦେଇଛି, ତୁରନ୍ତ ହସ୍ପିଟାଲ ଆସ । ଜଣେ ଯୁବତୀଙ୍କ ଫୋନ୍ କଲ ପାଇଁ ହସ୍ପିଟାଲ ପହଂଚିଲା ବେଳକୁ ପିଲାଟିର ମୃତ୍ୟୁ ହୋଇଯାଇଛି । ସନ୍ଦେହଜନକ ଅବସ୍ଥାରେ ଫେରାର୍ ମାରି ଦେଇଛନ୍ତି ଏହି ଯୁବତୀ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଏକ ଘଟଣା । ଏହି ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବଢ଼ିଲା ପୁଅର ମୃତଦେହ ଦେଖି କାନ୍ଦି କାନ୍ଦି ଅଚେତ ହୋଇଯାଉଛନ୍ତି ସମ୍ପର୍କୀୟ । କାନ୍ଦି କାନ୍ଦି କହୁଛନ୍ତି ମୃତ୍ୟୁ ପାଇଁ ସେଇ ଯୁବତୀ ଦାୟୀ, ଯିଏ ତାଙ୍କୁ ହସ୍ପିଟାଲରେ ଏଭଳି ଅବସ୍ଥାରେ ଛାଡ଼ି ଯାଇଛି । ୨୦ ବର୍ଷିୟ ରତିକାନ୍ତ ଦାସ । ବିଷପାନ କାରଣରୁ ଯାହାଙ୍କର ମୃତ୍ୟୁ ହୋଇଛି । ବାଣପୁର ଅଚଂଳର ରତିକାନ୍ତ, ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରି କଲେଜରେ ପାଠ ପଢ଼ୁଥିଲେ । ଗତକାଲି ରତିକାନ୍ତଙ୍କ ଭାଇଙ୍କୁ ଜଣେ ଯୁବତୀ ଫୋନ୍ କରି କହିଥିଲେ ଆପଣଙ୍କ ଭାଇ ବିଷ ପିଈଦେଇଛନ୍ତି ତୁରନ୍ତ ଭୁବନେଶ୍ୱର ଆସନ୍ତୁ । ହେଲେ ଘର ଲୋକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପହଂଚିଲା ବେଳକୁ ରତିକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା ।

ଏହି ଘଟଣା ନେଇ ଚନ୍ଦକା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଯେଉଁଥିରେ ସେଇ ଯୁବତୀଙ୍କ ନାଁ ନମିତା ରାଉତ ବୋଲି ଲେଖାଯାଇଛି । ନମିତାଙ୍କ ସହ ରତିକାନ୍ତ ଫୋନରେ କଥା ହେଉଥିଲେ ଏବଂ ଯୁବତୀ ଜଣଙ୍କ ସେଇ ବାଣପୁର ଅଂଚଳ ବୋଲି ପରିବାର ଲୋକ କହିଛନ୍ତି । ଏହି ମୃତ୍ୟୁ ପାଇଁ ନମିତା ରାଉତ ଏବଂ ତାଙ୍କ ସହ ହସ୍ପିଟାଲ ଆସିିଥିବା ଦୁଇ ସହଯୋଗୀ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ସହ ରତିକାନ୍ତଙ୍କ ପ୍ରେମ ସମ୍ପର୍କ ଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି ତାଙ୍କ ସହ ଫୋନରେ କଥା ହେଉଥିବା କଥା ଉଲ୍ଲେଖ କରିଛନ୍ତି ପରିବାର ଲୋକ । ଯାହା ପ୍ରେମ ଦିଗକୁ ଇସାରା କରୁଛି । ସେହିପରି ଟଙ୍କା ପଇସା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ଏତଲାରେ ଲେଖାଯାଇଛି ।

ବଡ଼ କଥା ହେଉଛି ରତିକାନ୍ତ ବିଷ ପିଇବା ପଛରେ ଏହି ଯୁବତୀଙ୍କ ଭୂମିକା କ’ଣ? ଯୁବତୀଙ୍କ ସହ ରତିକାନ୍ତର ପ୍ରେମ ସମ୍ପର୍କ ରହିଥିଲା କି? ପ୍ରେମଜନିତ କାରଣରୁ ରତିକାନ୍ତଙ୍କ ମୃତ୍ୟୁ ହୋଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି ।