ରାସ୍ତାରେ ମରି ପଡିଛନ୍ତି ବୁଲା କୁକୁର, କିଛି କୁକୁର ଅସୁସ୍ଥ । କେହି ବିଷ ଦେଇଥିବା ସନ୍ଦେହ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ଆସିଲା ଅଭାବନୀୟ ଚିତ୍ର ।

137

କନକ ବ୍ୟୁରୋ: ରାସ୍ତାରେ ଯିବାବେଳେ ଗୋଡାଉ ଥିଲେ ବି, ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ବୁଲା କୁକୁର । ଯେତେବେଳେ ରାତିରେ ସମସ୍ତେ ଶୋଇ ଯାଆନ୍ତି, ସେତେବେଳେ ପ୍ରହରୀ ସାଜନ୍ତି ଏହି ବୁଲା କୁକୁର । କାହାକୁ ଗଳି ଭିତରକୁ ପୁରାଇ ଦିଅନ୍ତି ନାହିଁ । ଯଦି କେହି ଭୁଲରେ ବି ଆସିଯାଏ ଭୁକିଥାନ୍ତି, ନଚେତ ଗୋଡାଇଥାନ୍ତି । କିନ୍ତୁ ଏହି ବୁଲା କୁକୁରଙ୍କର କେହି ମାଲିକ ନଥିବାରୁ ଓ ରାସ୍ତାରେ ଯିବା ସମୟରେ କାହାକୁ ଗୋଡାଉ ଥିବାରୁ ସେମାନେ କିଛି ହୃଦୟହୀନ ମଣିଷର ଆକ୍ରୋଶର ଶିକାର ହୋଇଥାନ୍ତି । ସେମତି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ।

କିଏ ମାରିଲା? କାହିଁକି ମାରିଲା? କେମିତି ମାରିଲା? କଥା କହିପାରୁନଥିବାରୁ ଏହି ବୁଲା କୁକୁରଙ୍କୁ କିଏ ମାରିଲା ତାହା କେହି ଜାଣି ପାରୁନାହାନ୍ତି । କିନ୍ତୁ ରାସ୍ତା ଉପରେ ପଡିଥିବା କୁକୁରଙ୍କୁ ଦେଖିବା ପରେ ଅନୁମାନ କରାଯାଉଛି, କେହି ହୃଦୟହୀନ ମଣିଷ ସେମାନଙ୍କୁ ବିଷ ଦେଇ ମାରି ଦେଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସବୁଦିନ ଭଳି ଗତ ରାତିରେ କୁକୁରମାନେ ଆଉ ଭୁକି ନଥିଲେ । ସକାଳୁ ସକାଳୁ କାହା ଦୁଆରକୁ ଖାଇବାକୁ ବି ଆସି ନଥିଲେ । ଯେଉଁମାନେ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତି ସେମାନେ ଡାକିଥିଲେ ବି ଉଠିନଥିଲେ । କିଛି କୁକୁର ଧକଉ ଥିବାର ଦେଖିବା ପରେ, ସେମାନେ ପାଣି ଛାଟିଥିଲେ । ହେଲେ ବଞ୍ଚାଇ ପାରିନଥିଲେ । କିନ୍ତୁ କିଏ ମାରିଲା ସେ ନେଇ ମୈତ୍ରୀବିହାର ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ଲୋକେ ।

ଏକା ଥରରେ ଏତେ କୁକୁର ମରିପଡିଥିବା ଖବର ପାଇବା ପରେ, ମୃତଦେହକୁ ଆସି ଉଦ୍ଧାର କରିଛନ୍ତି ପିପୁଲ୍ସ ଫର ଆନିମଲର ସଦସ୍ୟ । ଆଉ ଯିଏ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏସବୁ ଭିତରେ ବ୍ରହ୍ମପୁରରୁ ଆସିଛି ବୁଲା କୁକୁରଙ୍କ ଉତ୍ପାତର ଏକ ଭିଡିଓ । ସକାଳୁ ସକାଳୁ ଦୁଇ ଜଣ ମହିଳା ଏକ ସ୍କୁଟିରେ ତାଙ୍କ ପିଲାକୁ ସ୍କୁଲକୁ ଛାଡିବାକୁ ଯାଉଥିଲେ । ଏହି ସମୟରେ କିଛି କୁକୁର ସେହି ସ୍କୁଟିକୁ ପିଛା କରିଥିଲେ । ଯାହା ଫଳରେ ସ୍କୁଟିକୁ ରାସ୍ତା ପାଶ୍ୱର୍ରେ ଥିବା ଏକ କାରକୁ ଧକ୍କା ଦେଇଥିଲେ । ଆଉ ସ୍କୁଟିରେ ବସିଥିବା ଦୁଇ ମହିଳା ଓ ଶିଶୁ ଓଲଟି ତଳେ ପଡ଼ିଥିଲେ । ଦୁଇ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି ।