‘ରାମ ବିବାଦ ନୁହଁନ୍ତି ସମାଧାନ … ରାମ ଅଗ୍ନି ନୁହଁନ୍ତି ସେ ସକଳ ଶକ୍ତି’ । ପ୍ରାଣ ପ୍ରତିଷ୍ଠା ପରେ ଏପରି କହିଲେ ମୋଦୀ ।

91

କନକ ବ୍ୟୁରୋ: ଗର୍ଭ ଗୃହରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସନ୍ଥ ସଭା ତଥା ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି,’ ଯୁଗ ଯୁଗର ପ୍ରତୀକ୍ଷା ପରେ ପ୍ରଭୁ ଶ୍ରୀରାମ ଆସିଛନ୍ତି । ଆମ ରାମଲଲ୍ଲା ଏଣିକି ଆଉ ଟେଣ୍ଟରେ ନୁହେଁ ଭବ୍ୟ ମନ୍ଦିରରେ ରହିବେ । ଅନେକ ତ୍ୟାଗ, ବଳିଦାନ ପରେ ଶ୍ରୀରାମ ଆସିଛନ୍ତି’ । ଏହି ଶୁଭ ମୁହୂର୍ତ୍ତରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାମ ମନ୍ଦିରର ଗର୍ଭ ଗୃହରେ ଈଶ୍ୱରୀୟ ଚେତନାର ମୁଁ ସାକ୍ଷୀ ବନିଛି । ମୋ ଶରୀର ଏବେବି ସେ ଦିବ୍ୟ ଚେତନାରେ ସ୍ପନ୍ଦିତ ହେଉଛି । ମୋର ମନ ପ୍ରାଣ ସେ ମହାର୍ଘ୍ୟ ମୁହୂର୍ତ୍ତରେ ଏବେବି ବୁଡି ରହିଛି । ଦେଶବାସୀଙ୍କୁ ମୁଁ ଅନେକ କିଛି କହିବାକୁ ଚାହୁଁଛି ହେଲେ ମୋ କଣ୍ଠ ରୁଦ୍ଧ ହୋଇଯାଉଛି’ ।

ମୋଦୀ କହିଲେ, ‘ରାମ ନିଆଁ ନୁହଁନ୍ତି ସେ ସକଳ ଶକ୍ତି, ;ସେ ବିବାଦ ନୁହଁନ୍ତି ସେ ସମାଧାନ । ରାମ ହିରୋ ଅଟନ୍ତି । ରାମ କେବଳ ଆମର ନୁହଁନ୍ତି ରାମ ସାରା ବିଶ୍ୱର । ରାମ କେବଳ ବର୍ତ୍ତମାନ ନୁହଁନ୍ତି ସେ ଅନନ୍ତକାଳ । ସମୟ ଥିଲା ଯେତେବେଳେ ଲୋକେ କହୁଥିଲେ, ରାମ ମନ୍ଦିର ହେଲେ ଦେଶରେ ନିଆଁ ଲାଗିଯିବ । ପ୍ରକୃତରେ ସେମାନେ ଭାରତର ସାମାଜିକ ଭାବର ପବିତ୍ରତାକୁ କେବେ ପରଖିପାରିନଥିଲେ । ରାମଲଲ୍ଲାଙ୍କ ଏହି ମନ୍ଦିର ନିର୍ମାଣ, ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ , ସଦଭାବନା ଓ ସମନ୍ୱୟର ପ୍ରତୀକ ଅଟନ୍ତି । ଆମେ ଆଜି ସମସ୍ତେ ଦେଖୁେଉ ରାମ ମନ୍ଦିର ନିର୍ମାଣ ନିଆଁକୁ ନୁହେଁ ବରଂ ଶକ୍ତିର ସଞ୍ଚାର କରୁଛି’ ।

‘ମୋର ପୁରା ବିଶ୍ୱାସ ଆଜି ଯାହା ଘଟିଛି ସାରା ଦେଶ , ବିଶ୍ୱରେ ଥିବା ରାମଭକ୍ତ ତାକୁ ଅନୁଭବ କରିପାରୁଥିବେ । ଏହି ମୁହୂର୍ତ୍ତ ଅଲୌକିକ.. ଏହି ସମୟ ଆମ ସମସ୍ତଙ୍କ ପାଇଁ ଶ୍ରୀରାମଙ୍କ ଅଶୀର୍ବାଦ । ଆଜିଠାରୁ ହଜାରେ ବର୍ଷ ଯାଏଁ ଲୋକେ ଏହି ତାରିଖ, ଏହି କ୍ଷଣର ଚର୍ଚ୍ଚା କରିବେ’ । ମୋଦୀଙ୍କ ଭାଷଣରେ ସାରା ଦେଶକୁ ନୂଆ ଶକ୍ତି ମିଳିଛି ।