ମୋଦିଙ୍କ ଅପେକ୍ଷାରେ ହ୍ୱାଇଟ୍ ହାଉସ୍ ! ଆଜି ରାତି ୧.୨୦ରେ ଟ୍ରମ୍ପଙ୍କ ସହ ଭେଟ, ରହିଛି ସାରା ବିଶ୍ୱର ନଜର

28

କନକ ବ୍ୟୁରୋ : ଟ୍ରମ୍ପ-ମୋଦି ବିଗ୍ ମିଟିଂର କାଉଂଟଡାଉନ୍ । ଦୁଇ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ହେବ ବହୁ ପ୍ରତିକ୍ଷୀତ ଆଲୋଚନା । ହ୍ୱାଇଟ୍ ହାଉସରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଫୋକସରେ ରହିଛି ପ୍ରତିରକ୍ଷା ଓ ଆତଙ୍କବାଦ ଭଳି ମୁଖ୍ୟ ପ୍ରସଙ୍ଗ । ମୋଦି-ଟ୍ରମ୍ପଙ୍କ ଏହି ମିଟିଂ ଉପରେ ରହିଛି ସାରା ବିଶ୍ୱର ନଜର । ସାକ୍ଷାତ ଆଲୋଚନା ପରେ ହ୍ୱାଇଟ୍ ହାଉସରେ ମୋଦିଙ୍କ ପାଇଁ ଡିନରର ଆୟୋଜନ କରିଛନ୍ତି ଟ୍ରମ୍ପ ।

ସାରା ବିଶ୍ୱର ନଜର, ହ୍ୱାଇଟ୍ ହାଉସର ଏହି ବିଗ୍ ମିଟିଂ ଉପରେ । କଣ ରହିବ ନୂଆଦିଲ୍ଲୀର ଆଭିମୁଖ୍ୟ ଆଉ କେଉଁ ପ୍ରସଙ୍ଗ ରଖିବ ୱାଶିଂଟନ୍ । ନଜର ପକାନ୍ତୁ ଦୁଇ ନେତାଙ୍କ ମଧ୍ୟରେ କେଉଁ କେଉଁ ପ୍ରସଙ୍ଗରେ ହୋଇପାରେ ଆଲୋଚନା :

— ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବାବଦରେ ଆଲୋଚନା ପ୍ରଥମ ପ୍ରସଙ୍ଗ ।

— ଆମେରିକାଠାରୁ ୨୨ଟି ମାନବବିହୀନ ଗାର୍ଡିଆନ ଡ୍ରୋନ୍ କିଣିବାକୁ ହୋଇପାରେ ଚୁକ୍ତି ।

— ଭାରତୀୟ ନୈାସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ୨ବିଲିୟନ ଡଲାର ଡ୍ରୋନ୍ ଡିଲ ।

— ଆତଙ୍କବାଦ ବିରୋଧୀ ମିଳିତ ଲଢେଇ ଓ ସୁରକ୍ଷା ସହଯୋଗ ନେଇ ଚୁକ୍ତି ସମ୍ଭାବନା ରହିଛି ।

— ବିିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ଦୁଇ ନେତାଙ୍କ ଭିତରେ ହେବ ଆଲୋଚନା ।

— ଭାରତ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଚ୍-୧ବି ଭିସା ପ୍ରସଙ୍ଗ । ତେବେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ସମ୍ଭାବନା କମ୍ ।

ସାକ୍ଷାତ ପରେ ହ୍ୱାଇଟ୍ ହାଉସରେ ଡିନର କରିବେ ମୋଦି । ପ୍ରଥମ ଥର ପାଇଁ କୌଣସି ନେତାଙ୍କ ପାଇଁ ହ୍ୱାଇଟ୍ ହାଉସରେ ଡିନରର ଆୟୋଜନ କରାଯାଇଛି । ୱାଶିଂଟନରେ ପହଁଚିବା ବେଳେ ମୋଦିଙ୍କୁ ଆମେରିକାର ପ୍ରକୃତ ବନ୍ଧୁ ବୋଲି ଟ୍ୱିଟ୍ କରିସାରିଛନ୍ତି ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ସହ ସାକ୍ଷାତକୁ ନେଇ ମୋଦି ଅଧିକ ଉତ୍ସାହିତ ଥିବା କହିସାରିଛନ୍ତି । ଏହାରି ଭିତରେ ମୋଦି-ଟ୍ରମ୍ପଙ୍କ ଡିନର ଡିପ୍ଲୋମାସି ଉପରେ ରହିଛି ସାରା ବିଶ୍ୱର ନଜର ।