ଚାଳ ଛପରରେ ପାଠପଢିଥିଲେ, ଅଷ୍ଟମ ଶ୍ରେଣୀରେ ବିଜୁଳି ଦେଖିଲେ ! ଆଇନଷ୍ଟାଇନଙ୍କୁ ଭୁଲ୍ ପ୍ରମାଣିତ କରିଥିବା ଓଡିଆ ବିଜ୍ଞାନୀଙ୍କ ପିଲାଦିନର ସ୍ମୃତିକୁ ନେଇ ଦେଖନ୍ତୁ ଏହି ରିପୋର୍ଟ

52

କନକ ବ୍ୟୁରୋ : ତାରାର ଓଜନ ମାପିବା ସମ୍ଭବ । ସାରା ବିଶ୍ୱକୁ ଏଭଳି ସିଦ୍ଧାନ୍ତ ଉପହାର ଦେଇଥିବା ଓଡିଆ ବୈଜ୍ଞାନିକ କୈଳାସ ସାହୁ । ପିଲାଦିନେ ଗାଁରେ ବିଜୁଳି ନଥିଲା । ଅନ୍ଧାର ରାତିରେ ପାଠ ପଢିବାବେଳେ ଆକାଶରେ ଚିକମିକ୍ କରୁଥିବା ତାରା ତାଙ୍କୁ ଅକର୍ଶିତ କରୁଥିଲେ । ବୋଧହୁଏ ସେଥିପାଇଁ ପିଲାଦିନୁ ତାରାର ପ୍ରେମରେ ପଡିଯାଇଥିଲେ କୈଳାସ ସାହୁ । ଶେଷରେ ତାରାର ଓଜନ ମାପିବା ସମ୍ଭବ ବୋଲି ଯେଉଁ ପ୍ରାମାଣିକ ସିଦ୍ଧାନ୍ତରେ ପହଂଚିଲେ, ତାହା ଭୌତିକ ବୈଜ୍ଞାନର ଜନକ ଆଇନଷ୍ଟାଇନଙ୍କ ସିଦ୍ଧାନ୍ତକୁ ଭୁଲ୍ ପ୍ରମାଣିତ କରିଦେଲା । ଆମେରିକାର ଟେଲିସ୍କୋପ ସାଇନ୍ସ ଇନଷ୍ଟିଚ୍ୟୁଟର ଓଡିଆ ବୈଜ୍ଞାନିକ କୈଳାସ ସାହୁଙ୍କ ଗଞ୍ଜାମ ଜିଲ୍ଲା ବେଲଗାଁରେ ଥିବା ଘର । ଯେଉଁଠି ଖୁନ୍ଦି ହୋଇ ରହିଛି ତାଙ୍କର ପିଲାଦିନର ସ୍ମୃତି ।

ପୁନେ ଓ ଆମେରିକାରେ ବୈଜ୍ଞାନିକ ଗବେଷଣା ଭିତରେ ସେ ଭୁଲିନାହାନ୍ତି ଗାଁ ସ୍କୁଲକୁ, ଯେଉଁଠି ଆରମ୍ଭ କରିଥିଲେ ଅକ୍ଷର ଚିହ୍ନିବା । ଏଠାରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ହାଇସ୍କୁଲ ଶିକ୍ଷା ପାଇଁ ଆସିଥିଲେ ଗଂଡଳା ଗଣେଷ ବିଦ୍ୟାପୀଠ । ଆଉ ଗାଁକୁ ଆସିଲେ ନିଜ ସ୍କୁଲ ପିଲାଙ୍କୁ ଜ୍ଞାନ ବାଂଟିବାରେ କେବେ ବି ଉଣା କରିନାହାନ୍ତି ।

ପିଲାଟିବେଳୁ ସେ ଥିଲେ ଖୁବ ମେଧାବୀ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବଳ ଡିବି ଓ ଲଂଠନ ଅଲୁଅରେ ପାଠ ପଢିଥିବା କୈଳାସ ଖଲିକୋଟ୍ କଲେଜ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ପୁନେ ଚାଲିଗଲେ । ଆଉ ୧୯୮୫ରେ ଆମେରିକା ଯାତ୍ରା କଲେ । ଗ୍ରାଭିଟେସନାଲ ଲେନସିଂ ଥିଓରି ବଳରେ ପରୀକ୍ଷଣ କରି ସାରା ବିଶ୍ୱକୁ ଯେଉଁ ନୂଆ ସିଦ୍ଧାନ୍ତର ଉପହାର ଦେଇଛନ୍ତି ସେଥିପାଇଁ ତାଙ୍କ ଜନ୍ମମାଟି ଆଜି ଗର୍ବିତ ।