ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

87

କନକ ବ୍ୟୁରୋ : ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦାଘାଟନ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଏହି ଐତିହାସିକ ମାର୍ଗ ରାଜପଥର ନାଁ ବଦଳାଇ କର୍ତବ୍ୟପଥ ରଖିଛନ୍ତି । ସ୍ୱାଧୀନତା ପୂର୍ବରୁ ଏହି ମାର୍ଗର ନାଁ କିଙ୍ଗସୱେ ଥିଲା, କିନ୍ତୁ ପରେ ଏହାକୁ ରାଜପଥରେ ପରିଣତ କରାଗଲା । ସାଧାରଣ ଲୋକଙ୍କ ପାଇଁ ଏହା ଶୁକ୍ରବାରଠାରୁ ଖୋଲିବ । ଦିଲ୍ଲୀର ଇଣ୍ଡିଆ ଗେଟ୍ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ କ୍ଷେତ୍ରକୁ ସେଂଟ୍ରାଲ ଭିଷ୍ଟା କୁହାଯାଉଛି । ଏହି ଅଂଚଳରେ ରାଷ୍ଟ୍ରପତି ଭବନ, ନର୍ଥ ବ୍ଲକ, ସାଉଥ୍ ବ୍ଲକ, ରେଳ ଭବନ, ସଂସଦ ଭବନ, କୃଷି ଭବନ, ନିର୍ମାଣ ଭବନ, ପ୍ରତିରକ୍ଷା ଭବନ ଓ ହାଇଦ୍ରାବାଦ ହାଉସ୍ ପରି ଅନେକ ସରକାରୀ କୋଠା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ନିକଟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମୂର୍ତିର ବି ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୩ରେ ସମାନ ସ୍ଥାନରେ ସୁଭାଷ ବୋଷଙ୍କର ଏକ ହଲମାର୍କ ମୂର୍ତି ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏବେ ଏହାକୁ ଗ୍ରାନାଇଟ୍ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ଉଚ୍ଚତା ୨୮ ଫୁଟ ହୋଇଥିବା ବେଳେ ଓଜନ ୬୫ ମେଟ୍ରିକ୍ ଟନ୍ ରହିଛି । ଇଣ୍ଡିଆ ଗେଟ୍ରୁ ରାଜପଥ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥକୁ ଏଣିକି କର୍ତବ୍ୟ ପଥ କୁହାଯାଉଛି । ୧୦୧ ଏକରରେ ତିଆରି ହୋଇଛି ଏହି ଲନ୍ । ୧୬.୫ କିଲୋମିଟର ପାଦଚଲା ରାସ୍ତା ରହିଛି । ଏକା ସାଙ୍ଗରେ ୧୧୦୦ରୁ ଅଧିକ କାର, ୩୫ ବସ୍ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି । ଆଉ ଏକା ସାଙ୍ଗରେ ୪୦୦ରୁ ଅଧିକ ବେଂଚ ରହିଛି । ଯେଉଁଠି ଲୋକ ଏକାଠି ବସି ମଜା ନେଇପାରିବେ । ଅଳିଆ ଆବର୍ଜନ ମୁକ୍ତ କରିବା ପାଇଁ ୧୫୦ ଡଷ୍ଟବିନର ବ୍ୟବସ୍ଥା ହୋଇଛି । ସେହିପରି ଦେଶର ବିଭିନ୍ନ ରାଜ୍ୟର ଥିବା ଖାଦ୍ୟ ଏଠାରେ ବିଭିନ୍ନ ଷ୍ଟଲରେ ଉପଲବ୍ଧ ହେବ ।