ଅଗ୍ନିପଥ ଯୋଜନା : ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ତିନି ସେନା ମୁଖ୍ୟ; ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ କରିବେ ଅବଗତ

124

କନକ ବ୍ୟୁରୋ : ସେନାରେ ନିଯୁକ୍ତି ପାଇଁ ନୂଆ ଅଗ୍ନୀପଥ ଯୋଜନାକୁ ନେଇ ବିକ୍ଷୋଭ ତେଜୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କୁ ତିନି ସେନା ପ୍ରମୁଖ ଅଗ୍ନିପଥ ଯୋଜନାରେ ନିଯୁକ୍ତି ସମ୍ୱନ୍ଧୀୟ ବିସ୍ତୃତ ସୂଚନା ଦେବେ । ମିଳିଥିବା ସୂଚନା ଅନୁସାରେ ତିନି ସେନାର ମୁଖ୍ୟମାନେ ଅଲଗା ଅଲଗା ଭାବେ ମୋଦୀଙ୍କୁ ଭେଟିବେ । ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ପ୍ରଥମେ ମୋଦୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଅଗ୍ନିପଥ ଯୋଜନାର ଘୋଷଣା ଜୁନ୍ ୧୪ରେ କରାଯାଇଥିଲା ।

ଏପେଟ ଜୁଲାଇ ମାସରୁ ଆର୍ମିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ଏକ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି଼ ଅଗ୍ନିପଥ ଯୋଜନାକୁ ସମର୍ଥନ କରି କହିଥିଲେ, କେତେକ ସଂସ୍କାର ସାମୟିକ ଭାବେ ଅସୁବିଧା ସୃଷ୍ଟି କରିଥାଏ, କିନ୍ତୁ ଦୀର୍ଘକାଳ ପାଇଁ ଏହା ଉପକାର କରିଥାଏ । ଏହି ଯୋଜନାରେ ୪ ବର୍ଷିଆ ଚାକିରି କାଳକୁ ବିରୋଧ କରି ଆରମ୍ଭରୁ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି । ସେପଟେ ଅଗ୍ନିପଥକୁ ବିରୋଧ କରି କଂଗ୍ରେସର ଏକ ପ୍ରତିନିଧିମଣ୍ଡଳି ରାଷ୍ଟ୍ରପତିଙ୍କୁ ଭେଟି ଫେରାଦ ହୋଇଛନ୍ତି । ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦେଇଛି କଂଗ୍ରେସ ।

ସେନାରେ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ନିମନ୍ତେ ଭାରତୀୟ ସେନା ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜୁଲାଇରୁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଦେଶସାରା ବିରୋଧ, ପ୍ରତିବାଦ ଓ ଭାରତ ବନ୍ଦ ଡାକରା ଭିତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଚାରିବର୍ଷର ନିଯୁକ୍ତି ପରେ ଆଉ କୌଣସି ଚାକିରି ମିଳିବାର ଗ୍ୟାରେଣ୍ଟି ନ ଥିବାରୁ ଏବଂ ଚାରିବର୍ଷ ପରେ ପେନସନ ବା ଗ୍ରାଚୁଇଟି ସୁବିଧା ନ ଥିବାରୁ ଆଶାୟୀ ଯୁବକମାନେ ଏ ସ୍ବଳ୍ପଅବଧି ଚାକିରିକୁ ନାପସନ୍ଦ କରୁଛନ୍ତି। କେବଳ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ଆଉ ୧୫ ବର୍ଷ ଚାକିରି ପାଇଁ ବଛାଯିବ ଏବଂ ସେମାନଙ୍କୁ ପେନସନ ଆଦି ସୁବିଧା ମିଳିବ। ପୁରୁଣା ବ୍ୟବସ୍ଥାରେ ସେନାରେ ସିଧାସଳଖ ୧୫ ବର୍ଷିଆ ନିୟମିତ ଚାକିରି ମିଳୁଥିଲା।

ସୂଚନାଯୋଗ୍ୟ ଜୁନ୍ ୧୪ ତାରିଖରେ ସରକାର ଅଗ୍ନିପଥ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏଥିରେ ସାଢ଼େ ସତରରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ‌ଯୋଗ୍ୟତା ଭିତ୍ତିରେ ଚୟନ କରାଯାଇ ଅଗ୍ନିବୀରଭାବେ ଚାରିବର୍ଷ ପାଇଁ ନିଯୁକ୍ତି ଦିଆଯିବ। ପରେ ସରକାର ପ୍ରଥମ ବ୍ୟାଚ ପାଇଁ ଉଚ୍ଚ ବୟସ ସୀମା ୨୧ ବଦଳରେ ୨୩ କରିଛନ୍ତି। କୋଭିଡ୍-୧୯ ସକାଶେ ନିଯୁକ୍ତି ବନ୍ଦ ହୋଇଯାଇଥିବାରୁ କେବଳ ପ୍ରଥମ ବର୍ଷ ପାଇଁ ୨ ବର୍ଷ କୋହଳ କରାଗଲା ବୋଲି ସରକାର କହିଛନ୍ତି। ଯେଉଁମାନେ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ଆଶାୟୀ ସେମାନେ ଅନ୍‌ଲାଇନ୍ (www.joinindianarmy.nic.in) ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଜୁଲାଇରୁ ଏହି ପଞ୍ଜୀକରଣ ଆରମ୍ଭ ହେବ।

ଜେନେରାଲ ଡ୍ୟୁଟି ପାଇଁ ଦଶମ ଶ୍ରେଣୀ ପରୀକ୍ଷାରେ ଏଗ୍ରିଗେଟରେ ଅନ୍ୟୂନ ୪୫ ପ୍ରତିଶତ ଏବଂ ପ୍ରତି ବିଷୟରେ ୩୩ ପ୍ରତିଶତ ବା ଅଧିକ ମାର୍କ ରଖିଥିବା ଆବଶ୍ୟକ। ଟେକ୍ନିକାଲ କ୍ୟାଡର ପାଇଁ  ପ୍ରାର୍ଥୀ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଇଂରାଜୀ ନେଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ୟୂନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଏବଂ ପ୍ରତି ବିଷୟରେ ୪୦ ପ୍ରତିଶତରୁ କମ୍ ମାର୍କ ରଖି ନ ଥିବା ଆବଶ୍ୟକ।