ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତରେ ଆସିପାରେ ଖୁସି ଖବର । ବଢିବ ଭାରତୀୟ ନୌସେନାର ବଳ । ଭାରତୀୟ ନୌସେନାକୁ ମିଳିବ ୨୬ଟି ରାଫେଲ୍-ଏମ୍ ଫାଇଟର ଜେଟ୍ ।

199

କନକ ବ୍ୟୁରୋ: ପୁଣି ବଢିବ ଭାରତୀୟ ନୌସେନାର ବଳ । ଡରିବେ ଭାରତର ପଡୋଶୀ ଶତ୍ରୁ । ଗତ କିଛି ବର୍ଷ ଧରି ସୀମାରେ ଆହୁରି ସଶକ୍ତ ହେଉଥିବା ଭାରତୀୟ ନୌସେନାର ବଳ ଆହୁରି ଅଧିକ ବଢିବାକୁ ଯାଉଛି । ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ଆସିବାକୁ ଯାଉଛି ଆଉ ୨୬ଟି ରାଫେଲ ବିମାନ । ସମ୍ଭବତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ଚୁକ୍ତିକୁ ଗ୍ରୀନ୍ ସିଗନାଲ ମିଳିପାରେ ବୋଲି କୁହାଯାଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ବେଳେ, ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ । ଏହାମଧ୍ୟରେ ରହିଛି ବୁଡାଜାହାଜ ନିର୍ମାଣ । ଭାରତ ଆଗାମୀ ଦିନରେ ୩ଟି ବୁଡାଜାହାଜ ନିର୍ମାଣ କରିବାକୁ ଫ୍ରାନ୍ସ ସହିତ କଥାବାର୍ତ୍ତା କରିବ । ମେକ୍ ଇନ୍ ଇଣ୍ଡିଆ ପ୍ରୋଗାମରେ ଏହାକୁ ଭାରତରେ ନିର୍ମାଣ କରାଯିବ । ତେବେ କେନ୍ଦ୍ର ସରକାର କିନ୍ତୁ ଏନେଇ ବିଧିବଦ୍ଧ ଘୋଷଣା କରିନଥିଲେ ମଧ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ଏହାର ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଉଛି ।

ପିଏମ୍ ମୋଦୀ ଆସନ୍ତା ଜୁଲାଇ ୧୩ ଓ ୧୪ ତାରିଖରେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ । ଏହି ଗସ୍ତରେ ପ୍ରତିରକ୍ଷା ସମ୍ଭନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ଡିଲ୍ ହେଇପାରେ । ଏହି ଗସ୍ତରେ ଭାରତର ଚେଷ୍ଟା ରହିବ ଯେ, କିପରି ଫ୍ରାନ୍ସର କମ୍ପାନୀମାନେ ଭାରତ ଆସି, ଏଠାରେ ଇଞ୍ଜିନି ନିର୍ମାଣ କରନ୍ତୁ । ଯାହାଫଳରେ ଭାରତର ସେନା ଆହୁରି ଅଧିକ ଶକ୍ତିଶାଳୀ ହେଇପାରିବ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ ଡାକିଛନ୍ତି । ଜୁଲାଇ ୧୩ରେ ବସିବାକୁ ଥିବା ଏହି ବୈଠକରେ ଭାରତୀୟ ନୌସେନା ପାଇଁ ୨୬ଟି ରାଫେଲ୍ ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଫ୍ରାନ୍ସର ଲଢୁଆ ବିମାନ ରାଫେଲ୍-ଏମ ସମୁଦ୍ରରେ ପଇଁତରା ମାରିବା ସହିତ ଶତ୍ରୁକୁ ବିନାଶ କରିବାର ଶକ୍ତି ରଖୁଛି । ଯେଉଁ କାରଣରୁ ଆଇଏଏନଏସ ବିକ୍ରାନ୍ତରେ ଏହାକୁ ନିୟୋଜିତ କରିବାକୁ ଚିନ୍ତା କରୁଛି ଭାରତ ।