ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଜାନୁଆରୀ ୨୭ରୁ ଫେବ୍ରୁଆରୀ ୫ ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା, ସିସିଟିଭି ନଜରରେ ରହିବ ପୂରା ପରୀକ୍ଷା । 

1,060

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୩ରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୫ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ।

ଚଳିତ ବର୍ଷ ମୋଟ ୩,୪୯,୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିମଧ୍ୟରୁ କଳାରେ ୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବାକୁ ଥିବା ବେଳେ ବିଜ୍ଞାନରେ ୯୭,୫୩୬ ଜଣ ଓ ବାଣିଜ୍ୟ ବିଭାଗରେ ୨୫,୭୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।  ମାର୍ଚ୍ଚ ୩ରୁ ମାର୍ଚ୍ଚ ୨୮ ଯାଏଁ ବିଜ୍ଞାନ ବିଭାଗ ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ ୪ରୁ ୨୭ ଯାଏଁ କଳା ଓ ମାର୍ଚ୍ଚ ୪ରୁ ୨୬ ଯାଏଁ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିଭଳି ଧନ୍ଦାମୂଳକ ଶିକ୍ଷାରେ ମୋଟ ୭୦୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଚଳିତବର୍ଷ କପି ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଏପରିକି ଯେଉଁ ସେଣ୍ଟରରେ ସିସିଟିଭି ଲାଗିନାହିଁ ସେଠାରେ ଖୁବଶୀଘ୍ର ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପରୀକ୍ଷା ପୂର୍ବରୁ ସିସିଟିଭି ନ ଲଗାଯାଇଥାଏ ତେବେ ସିସିଟିଭି ଲାଗିଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ୱଷ୍ଟ କରାଯାଇଛି ।