ଦ୍ୱନ୍ଦ୍ୱ ବଢ଼ାଇଲା ବିଜେଡିର ଆଭିମୁଖ୍ୟ, ତେଜିଲା ରାଜନୀତି । ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କଲେ ପିସିସି ସଭାପତି

711

କନକ ବ୍ୟୁରୋ: ମଣିପୁର ହିଂସା ଘଟଣାରେ ବିରୋଧୀ ମେଣ୍ଟ ଆଣିଥିବା ଅନସ୍ଥା ପ୍ରସଙ୍ଗରେ ଏନଡିଏ, ପାଶ୍ୱର୍ରେ ବିଜେଡି ଠିଆ ହେବା ଘୋଷଣାକୁ କଂଗ୍ରେସ, ସମଦୂରତା ନା’ ବିଜେଡି-ବିଜେପି ନିବିଡ଼ତା ବୋଲି ପ୍ରଶ୍ନ କରିଛି । ବିଜେଡିର ଘୋଷଣା ପରେ ଯେଉଁ ସବୁ ଆଶା କରାଯାଉଥିଲା, ଅବିକଳ ସେଇଆ ଘଟିଛି । ଏହି ପ୍ରସଙ୍ଗରେ ବିଜେପି, ନିଜକୁ ସୁହାଇଲା ଭଳି ଢ଼ଙ୍ଗରେ ବୟାନ ରଖୁଥିବାବେଳେ ବିଜେଡି ଚିରାଚରିତ ଢ଼ଙ୍ଗରେ ସମଦୂରତା କଥା କହୁଛି । ଯାହା କଂଗ୍ରେସକୁ ଆକ୍ରମଣ କରିବାର ବଡ଼ ସୁଯୋଗ ଆଣି ଦେଇଛି ।

ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି । ଶରତ ପଟ୍ଟନାୟକ କହିଛନ୍ତି- ବିଜେଡି ଓ ବିଜେପି ଗୋଟିଏ ଦଳ । ଇଡି ଓ ସିବିଆଇ ଭୟରେ ବିଜେପିକୁ ସମର୍ଥନ କରୁଛି ବିଜେଡି । ମୁଖ୍ୟମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ପଦୁଟିଏ କହୁନାହାନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ଯାଇ ବିଜେଡି ମହିଳାଙ୍କୁ ଅସମ୍ମାନ କରିଛି ବୋଲି ଅଭିଯୋଗ କରିଛନ୍ତି । ଏପଟେ ରାଜ୍ୟ ବିଜେପି ସଭାପତି କହିଛନ୍ତି- ବିଜେପି କାହାକୁ ସମର୍ଥନ ମାଗିିିନି । କଂଗ୍ରେସ ତା’ର ସ୍ଥିତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ଏଭଳି ଅଭିଯାଗ କରୁଛି । ବିଜେଡି କହିଛି- ଆମେ କେଉଁ ଦଳକୁ ସମର୍ଥନ କରୁନାହୁଁ । ବିଜେଡି କେବେବି ମହିଳାଙ୍କୁ ଅସମ୍ମାନ କରିନାହିଁ ।

ରାଜନୀତିର ଏହି ଟଣାଓଟରା ଭିତରେ ଗୋଟିଏ ପାଦ ଆଗକୁ ବଢ଼ି, ଶାସକ ବିଜେଡି ଦଳକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଅଭିଯୋଗ ଆଣି କହିଛନ୍ତି- ସମଦୂରତା କୁଆଡେ ଗଲା? ମହିଳା ଓ ମା’ମାନେ ପ୍ରଶ୍ନ କରିବାର ସମୟ ଆସିଛି । ଏହା କ’ଣ ମହିଳାଙ୍କ ପ୍ରତି ସମ୍ମାନ କି? ବୋଲି ପ୍ରଶ୍ନ କରିଛନ୍ତି । ଏପଟେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି- ବିଜେଡି ସବୁବେଳେ ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସିଛି ।

ରାଜନୀତିର ଏହି ବୟାନବାଜି ହୁଏତ ସାମୟିକ ଭାବେ ପରସ୍ପର ପାଇଁ ଆତ୍ମସନ୍ତୋଷ ହୋଇପାରେ, କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ଏହାର ଏକ ବ୍ୟାପକ ପ୍ରଭାବ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ସମଦୂରତା କଥା କହି ବିଜେଡି, କେନ୍ଦ୍ରୀୟ ବିଜେପିର ନିକଟତର ହେବା ରାଜ୍ୟ ବିଜେପିର ହିସାବକୁ ବିଗାଡ଼ି ଦେଇଛି ।