ସହରୀ ବନ୍ୟା ପାଇଁ ଦାୟୀ କିଏ? ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଅଧିକାରୀଙ୍କୁ ଘେରିଲେ ବିଧାୟକ । ଜଳ ନିଷ୍କାସନ ଯୋଜନା ଉପରେ ଉଠାଇଲେ ପ୍ରଶ୍ନ

103

କନକ ବ୍ୟୁରୋ: ଲଗାଣ ବର୍ଷା ପାଇଁ ଗାଁ ତ ଗାଁ, ସହରାଞ୍ଚଳରେ ବି ଭୟଙ୍କର ସ୍ଥିତି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଟୁଇନ୍ ସିଟି ବାସିନ୍ଦା । ବର୍ଷା ପାଣି ନିସ୍କାସିତ ହୋଇପାରୁନଥିବାରୁ ଲୋକଙ୍କ ଘରେ ପଶୁଛି ଡ୍ରେନ୍ ପାଣି । ତେଣୁ ଏଠି ପ୍ରଶ୍ନ ଉଠୁଛି ସହରୀ ବନ୍ୟା ପାଇଁ ଦାୟୀ କିଏ?

  • ସହରୀ ବନ୍ୟା ପାଇଁ ଦାୟୀ କିଏ?
  • କାହିଁକି କାର୍ଯ୍ୟକାରୀ ହୋଇପାରୁନି ଆକ୍ସନ ପ୍ଲାନ?
  • ଷ୍ଟାଣ୍ଡିଂ କମିଟିର ବୈଠକରେ ବିଧାୟକଙ୍କ ଉଦବେଗ

ଦୁଇଦିନ ତଳେ ହୋଇଥିବା ଲଗାଣ ବର୍ଷା ସ୍ମାର୍ଟ ସିଟି ଭୁବନେଶ୍ୱର ଓ କଟକର ବାସ୍ତବ ଚିତ୍ରକୁ ପଦାକୁ ପକାଇଛି । ସ୍ୱରେଜ, ଡ୍ରେନେଜ ଓ ଜଳ ନିଷ୍କାସନ ଯୋଜନା ଉପରେ ବଡ ପ୍ରଶ୍ନ ଠିଆ କରାଇଛି । ଯାହାକୁ ନେଇ ଏବେ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ତମ୍ବିତୋଫାନ ଦେଖିବାକୁ ମିଳିଛି । ମହାନଗର ନିଗମ ଓ ପୌରଞ୍ଚଳରେ ସହରୀ ବନ୍ୟା ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ନେଇ ଆଲୋଚନା ହୋଇଛି । ଏଥିରେ ବିଏମସି ଓ ସିଏମସିର କମିଶନରଙ୍କ ସମେତ ନଗର ଉନ୍ନୟନ ଅଧିକାରୀଙ୍କୁ ପ୍ରଶ୍ନବାଣ କରିଥିଲେ ବିଧାୟକ । କେମିତି ସହରୀ ବନ୍ୟାକୁ ରୋକାଯାଇପାରିବ ସେ ନେଇ ଆଲୋଚନା ହୋଇଛି ।

  • ସ୍ୱରେଜ ପ୍ଲାନକୁ ଶୀଘ୍ର କାର୍ଯ୍ୟକାରୀ କରିବା
  • ଡ୍ରେନକୁ ଶୀଘ୍ର ସଫା କରିବା ସହ ଜବରଦଖଲ ଉଚ୍ଛେଦ
  • କଟକରେ ଜାଇକା ପ୍ରକଳ୍ପକୁ ଶୀଘ୍ର ସାରିବା
  • ଜଳବନ୍ଦୀ ସ୍ଥାନକୁ ଚିହ୍ନଟ କରି ପ୍ରତିକାର କରିବା
  • ପ୍ଲାନ ଅନୁମୋଦନ ବେଳେ ଜଳ ନିଷ୍କାସନ ଦିଗକୁ ଗୁରୁତ୍ୱ ଦେବା
  • ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେବା ନେଇ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା ହୋଇଛି

ସହରାଞ୍ଚଳରେ ଜଳବନ୍ଦୀଙ୍କୁ ବିଧାୟକ ଉଦବେଗ ଜଣାଇବା ସହିତ ପ୍ଲାନ କାର୍ଯ୍ୟକାରୀ କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ । ବର୍ଷା ଯୋଗୁଁ ଟ୍ୱିନ ସିଟିରେ ଜଳବନ୍ଦୀ ସମସ୍ୟା ଗତ ଦୁଇବର୍ଷ ଭିତରେ ଅଧିକ ହୋଇଛି । ନେତା ଖାଲି କଥା କହୁଛନ୍ତି କିନ୍ତୁ ସମାଧାନ କରୁନାହାନ୍ତି । ପ୍ରଶ୍ନ ଉଠୁଛି, ବୈଠକ ପରେ କିଛି ସମାଧାନ ବାହାରିବ ନା ସ୍ଥିତି ଯେମିତିକୁ ସେମିତି ରହିବ ।