ରାଜ୍ୟରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି? ପ୍ରଶ୍ନବାଣରେ ସରକାରଙ୍କୁ ଘେରିଲେ ବିରୋଧୀ, ଟିକିନିକି ତଥ୍ୟ ଦେଲେ ମନ୍ତ୍ରୀ ।

156

କନକ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ୟ୍ୟସ୍ତ, ସାଧାରଣ ଲୋକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ । ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ଏନେଇ ଆଲୋଚନା ବେଳେ ଗୃହର ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି । ୪୦ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି । ସିଏଚସି,ପିଏଚସିରେ ୭ହଜାର ସ୍ବାସ୍ଥ୍ୟ କର୍ମୀ,୧୦ହଜାର ଷ୍ଟାଫ୍ ନର୍ସ,୬ହଜାର ଫାର୍ମାସିଷ୍ଟ ଅଭାବ ରହିଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଭିଏମସାରରେ ୧୨ପ୍ରଫେସର ପଦବୀ,୩୦ଆସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ଭିମସାରରେ ସମୁଦାୟ ଶଯ୍ୟା ସଂଖ୍ୟା ୧୦୧୮ । ସେହି ଅନୁସାରେ ୫ରୁ ୮ପ୍ରତିଶତ ଆଇସିୟୁ ରହିବା କଥା କିନ୍ତୁ ଅଛି ୨୦ ଟି ଆଇସିୟୁ । ଏମ ଆର ଆଇ ମେସିନ ନାହିଁ । ଯାହାକୁ ନେଇ କଂଗ୍ରେସ ବିଧାୟକ ସି.ଏସ ରାଜନ ଏକ୍କା କହିଛନ୍ତି, ସୁନ୍ଦରଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା, ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ନାମଲେଖାଇଲେ କିନ୍ତୁ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏଯାଏଁ ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇପାରିଲା ନାହିଁ ।

ସେହିଭଳି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ବଡମ୍ବା ନରସିଂହପୁର ପରେ ଲୋଇସିଂହା ଏବେ କିଡନୀ ରୋଗର ହଟସ୍ପଟ ପାଲଟିଛି । ସହାୟ ନାମରେ ମାଗଣା ଡାଏଲସିସ ବ୍ୟବସ୍ଥା କରିଛନ୍ତି, ହେଲେ ସବୁଆଡେ ସେ ଡାଏଲସିସ ସୁବିଧା ନାହିଁ । ଶିଶୁ ମୃତ୍ୟୁ ହାର ହ୍ରାସ କରିଛନ୍ତି ବୋଲି ସରକାର ବାଃ ବାଃ ନେଉଛନ୍ତି । ୨୦୧୬-୧୭ରୁ ୨୦୨୧-୨୨ମଧ୍ୟରେ ପାଞ୍ଚ ବର୍ଷରୁ କମ ୯୨ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଠକେଇ ରାକେଟ ଚାଲିଛି, ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଯୋଜନାରେ ତିନି ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସିଏଚସିରେ ସ୍ପେଶିଆଲିଷ୍ଟ ଡାକ୍ତର ଅଭାବ,ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ସିଏଚସି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆଇସିୟୁ ଅଭାବ କାରଣରୁ ବେସରକାରୀ ଡାକ୍ତରଖାନାକୁ ରେଫର କରାଯାଉଛି । ଏପରିକି ଆୟୁଷ୍ମାନ ଭାରତ ଯୋଜନା କାହିଁକି ରାଜ୍ୟରେ ଲାଗୁ ହେଉନି ବୋଲି ପ୍ରଶ୍ନ କରିଥିଲେ ମୁକେଶ ।

ଆଉ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି । ସ୍ୱାସ୍ଥ୍ୟ ବଜେଟର ୩୦ପ୍ରତିଶତ ମେଡିସିନ ବାବଦରେ ଖର୍ଚ୍ଚ ହେଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ରାଜ୍ୟ ସରକାର ୯୬.୫ ଲକ୍ଷ ପରିବାର ଲାଭବାନ ହେଉଛନ୍ତି । ୮ଲକ୍ଷ ୨୫ହଜାର ୩୪୨ ଥର ହିତାଧିକାରୀ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ବାବଦରେ ୧୪୪୩.୭୮କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି । ୯ମାସ ମଧ୍ୟରେ ୧୪୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୁପାନ୍ତରଣ ହେବ । ଆୟୁଷ ଯୋଜନାକୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଏବେ ରାଜ୍ୟରେ ୨୧୨୫, ମେଡିକାଲ ସିଟ୍ ଥିବାବେଳେ ଆସନ୍ତା ବର୍ଷ ୨୫ଶହକୁ ବୃଦ୍ଧି କରାଯିବ । ଚଳିତ ବର୍ଷ ୨୭୪ଟି ଆସିଷ୍ଟାଣ୍ଡ ପ୍ରଫେସର ପଦ ପୁରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।