ଇମ୍ରାନଙ୍କ ରାଲିରେ ଉତ୍ତେଜନା । ସୁରକ୍ଷାକର୍ମୀ-ସମର୍ଥକ ମୁହାଁମୁହିଁ ।

101

କନକ ବ୍ୟୁରୋ: ଇସଲାମାବାଦ ରାସ୍ତାରେ ପୁଲିସ ସହ ମୁହାଁମୁହିଁ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ । ଦେଖୁ ଦେଖୁ ହିଂସାକାଣ୍ଡରେ ପରିଣତ ହୋଇଥିଲା ର୍ୟାଲି । ସମର୍ଥକଙ୍କୁ ନେଇ ର୍ୟାଲିରେ ବାହାରିଥିବା ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ଏଭଳି ଉତେଜନା ପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ପୁନଃ ନିର୍ବାଚନ ଦାବି ନେଇ ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜ ସମର୍ଥକଙ୍କ ସହ ଇସଲାମାବାଦରେ ପ୍ରବେଶ କଲେ, ସେଠାରେ ତାଙ୍କୁ ବିରୋଧ କରିଥିଲେ ସୁରକ୍ଷା କର୍ମୀ । ନିୟମ ଭାଙ୍ଗି ଶତାଧିକ ସମର୍ଥକଙ୍କ ସହ ଇମ୍ରାନ ଇସଲାମାବାଦରେ ପ୍ରବେଶ କରିଥିବାରୁ ତାଙ୍କୁ କରାଯାଇଥିଲା ବିରୋଧ । ଯାହାକୁ ନେଇ ସୁରକ୍ଷାକର୍ମୀ ଓ ସମର୍ଥକ ହୋଇଥିଲେ ମୁହାଁମୁହିଁ । ଇମ୍ରାନଙ୍କ ସମର୍ଥକ ବୁଧବାର ଇମ୍ରାନଙ୍କ ଦଳ ତେହେରିକ ଏ ଇନସାଫ ଦ୍ୱାରା ଆଜାଦ ମାର୍ଚ୍ଚ ଆରମ୍ଭ କରିଥିଲେ । ରାଜଧାନି ଇସଲାମାବାଦ ସମେତ ରାୱଲପିଣ୍ଡୀ, କରାଚୀ, ଲାହୋର, ଖାଇବର ପଖତୁୱାନ ଅଂଚଳରେ ର୍ୟାଲି କରିଥିବାବେଳେ ସବୁ ର୍ୟାଲିରେ ଉତେଜନା ଦେଖାଦେଇଥିବା ସୂଚନା ମିଳିଛି ।

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପାକ ସରକାର ସେନାକୁ ମୁତୟନ କରିଛନ୍ତି । ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହେବା ସତ୍ୱେ ଇମ୍ରାନଙ୍କ ସମର୍ଥକ ମେଟ୍ରୋ ଷ୍ଟେସନକୁ ଜାଳିପୋଡି ପାଉଁଶ କରିପକାଇଛନ୍ତି । ଏଥିସହ ସରକାରୀ କାର୍ଯ୍ୟାଳୟ ଉପରକୁ ମଧ୍ୟ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ସମର୍ଥକଙ୍କୁ ଘଉଡାଇବାକୁ ବିିଭନ୍ନ ସ୍ଥାନରେ ପୁଲିସ ସହ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲାଠିଚାର୍ଜ ବି କରାଯାଇଛି । ଉତେଜନାକୁ ଦେଖି ବର୍ତମାନ ପାଇଁ ଇମ୍ରାନ ଖାନ ରାଲି ବନ୍ଦ କରିଛନ୍ତି । କିନ୍ତୁ ସରକାରଙ୍କୁ କେବଳ ୬ଦିନର ସମୟ ଦେଇଛନ୍ତି । ୬ଦିନ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ନକରାଗଲେ ସମସ୍ତ ଦେଶବାସୀଙ୍କୁ ଧରି ଇସଲାମାବାଦକୁ ଆସିବେ ବୋଲି ଘୋଷଣା କରିଛନ୍ତି ଇମ୍ରାନ ।

ଦେଶରେ ଆର୍ଥିକ ସଙ୍କଟ ଦେଖାଯିବା ପରେ ଏପ୍ରିଲ ମାସରେ ନିଜ ମନ୍ତ୍ରୀମଣ୍ଡଳ ସହ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଇମ୍ରାନ । ତାଙ୍କ ବିରୋଧରେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଷଡଯନ୍ତ୍ର କରାଯାଇ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଜାଣି ଶୁଣି ହଟାଯାଇଥିବା ଅଭିଯୋଗ କରି ଆସୁଛନ୍ତି ଇମ୍ରାନ । ଦେଶରେ ସରକାର ପରିବର୍ତନ ହେବା ପରେ ଲଗାତାର ଉତେଜନା,ହିଂସା ବୃଦ୍ଧି ପାଇବାରେ ଲାଗିଛି ।