ଆର୍ଥିକ ସଂକଟ ଭିତରେ ପାକିସ୍ତାନର ବଡ ନିଷ୍ପତ୍ତି, ନ୍ୟୁକ୍ଲିୟର ଅସ୍ତ୍ର ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି ଦେଶ

157

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସ୍ଥିତି ଲଗାତର ଦୁର୍ବଳ ହେବାରେ ଲାଗିଛି । ଏଥିପାଇଁ ପାକିସ୍ତାନକୁ ସବୁଠି ଲଜ୍ଜିତ ହେବାକୁ ମଧ୍ୟ ପଡ଼ୁଛି । ପାକିସ୍ତାନରେ ଏବେ ସ୍ଥିତି ଏପରି ହୋଇଛି ଯେ ଦେଶ ଏବେ ତା’ର ସବୁଠାରୁ ବଡ଼ ଅସ୍ତ୍ର କହୁଥିବା ନ୍ୟୁକ୍ଲିୟର ବା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିକ୍ରି କରିବାକୁ ମନସ୍ଥ କରିଛି । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଶର ପ୍ରତିରକ୍ଷା ବିଶେଷଜ୍ଞ ଜୈଦ ହମିଦ୍ ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ର ଅନ୍ୟ ଦେଶଗୁଡ଼ିକୁ ବିକ୍ରି କରିବାକୁ ପରାମର୍ଶ ଦେଉଛନ୍ତି ।

ସେ କହିଛନ୍ତି, ଆମେ ବର୍ତମାନ ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇସାରିଛୁ । ଯଦି ଆବଶ୍ୟକ ପଡ଼ୁଛି, ତାହେଲେ ନିଜର ନ୍ୟୁକ୍ଲିୟର ଓ ମିଜାଇଲକୁ ଏକ୍ସପୋର୍ଟ କରିପାରିବେ । ଯଦି ପାକିସ୍ତାନ ସାଉଦି ଆରବ, ଇରାନ ଓ ତୁର୍କୀକୁ ପ୍ରସ୍ତାବ ଦିଅନ୍ତି, ତାହେଲେ ଦେଶର ଆର୍ଥିକ ସ୍ଥିତି ସୁଧାରିପାରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମ ପାଖରେ ୧୫୦ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ଅଛି । ଏଥିରୁ ଆମେ ଯଦି ୫ଟି ସାଉଦିକୁ ବିକ୍ରି କରିବୁ, ତେବେ ଆମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।