କେମିତି ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ? ସାମନାକୁ ଆସିଲା ହତ୍ୟାକାଣ୍ଡ ଠିକ୍ ପୂର୍ବର ଭିଡିଓ ଓ ଫଟୋ…

488

କନକ ବ୍ୟୁରୋ: ନବ ଦାସଙ୍କୁ କେମିତି ହତ୍ୟା କଲା ଗୋପାଳ? ତାହାର ଏକାଧିକ ଭିଡିଓ ଆପଣ ଦେଖିଥିବେ । ଭିଡ ଭିତରେ ଗୋପାଳ ନବଙ୍କ ଗାଡି ପାଖକୁ ଆସି ଅତି ନିକଟରୁ ଗୁଳି କରି ଚାଲିଯାଇଥିଲା । ହେଲେ ଗୋପାଳ ଗୁଳି କରୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ନବଙ୍କ ଠିକ୍ ସାମ୍ନାରେ ଛିଡା ହୋଇ ଦୁଇ ହାତରେ ବନ୍ଧୁକକୁ ଧରି ସିଧା ଛାତିକୁ ଗୁଳି କରୁଥିବା ସେହିି ଫଟୋରୁ ଜଣାପଡୁଛି । ସେହିପରି ସର୍ଭିସ ରିଭଲବର ବାହାର କରୁଥିବାର ଏକ ଭିଡିଓ ମଧ୍ୟ କନକ ନ୍ୟୁଜ ହାତରେ ଲାଗିଛି । ଫଟୋ ଓ ଭିଡିଓରୁ ଜଣାପଡିଛି ଗୋପାଳ ହିଁ ନବଙ୍କୁ ଗୁଳି କରିଛି । ତେବେ ହତ୍ୟାର ଉଦ୍ଦେଶ୍ୟ ଏବେ ବି ରହସ୍ୟ ହୋଇ ରହିଛି ।

କୁହାଯାଏ ଶହ ଶହ, ହଜାର ହଜାର ଶବ୍ଦରେ ଯାହା କହି ହୁଏନି, ଗୋଟିଏ ଫଟୋ ତାକୁ ବୟାନ କରିଦିଏ । ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ଗୁଳି କରୁଥିବା ସମୟର ସେହି ଫଟୋକୁ ଦେଖିଲେ, ତା ମନରେ ଥିବା କଠୋର ଭାବ ବେଶ ବାରି ହୋଇପଡୁଛି । ଆଖିରେ ରହିଛି ଘୃଣା ଓ ନୃଶଂସତା । ମନ୍ତ୍ରୀ ନବ ଦାସଙ୍କ ସାମ୍ନାରେ ଆସି ଛିଡା ହୋଇଯାଇଛି ଗୋପାଳ । ଦୁଇ ହାତରେ ବନ୍ଧୁକକୁ ଏତେ ଜୋରରେ ଜାବୁଡି ଧରିଛି ଯେ, ହାତର ଶିରା ଟାଣ ହୋଇଯାଇଛି । ଲାଗୁଛି ଯେମିତି ଗୋଟିଏ ଗୁଳିରେ ମନ୍ତ୍ରୀଙ୍କୁ ମାରିଦେବାକୁ ନିଶ୍ଚିତ କରି ଆସିଛି ଗୋପାଳକୃଷ୍ଣ ଦାସ । ନବ ଦାସ ହତ୍ୟାକାଣ୍ଡର ଅନେକ ଭିଡିଓ ଆପଣ ଦେଖିଥିବେ । ଯେଉଁଠି ଭିଡ ଭିତରେ ଗୋପାଳ କେତେବେଳେ ଆସି ନବଙ୍କୁ ଗୁଳି କରି ଚାଲିଯାଉଛି ତାହା ସ୍ପଷ୍ଟ ଜଣା ପଡୁନାହିଁ । ହେଲେ ବର୍ତ୍ତମାନ ଆସିଥିବା ଫଟୋରୁ ସ୍ପଷ୍ଟ ହେଉଛି ଯେ, ଗୋପାଳର ଗୁଳିରେ ହିଁ ଟଳି ପଡିଛନ୍ତି ମନ୍ତ୍ରୀ ନବ ଦାସ । ସମର୍ଥକମାନେ ଫୁଲମାଳ ଦେଉଥିବାବେଳେ ସାମ୍ନାରେ ଓ ଅତି ପାଖରେ ଛିଡା ହୋଇ ଗୁଳି କରିଛି ଗୋପାଳ ।ଯଦିଓ ନବ ଦାସଙ୍କୁ ଗୋପାଳ ହିଁ ଗୁଳି କରି ମାରିଥିବା କଥା ଏକାଧିକ ଭିଡିଓ ଏବଂ ଏହି ଫଟୋରୁ ସ୍ପଷ୍ଟ ହୋଇଛି । କିନ୍ତୁ ଗୋପାଳ କାହିଁକି ନବଙ୍କୁ ହତ୍ୟାକଲା ତାର କାରଣ ଖୋଜୁଛି କ୍ରାଇମବ୍ରାଞ୍ଚ । ହତ୍ୟାର ଉଦ୍ଦେଶ୍ୟ ନେଇ ଯେଉଁସବୁ ସୂଚନା ସାମ୍ନାକୁ ଆସିଛି ତାହା ଗ୍ରହଣୀୟ ହୋଇପାରୁ ନାହିଁ ।

ଗୋପାଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଏକ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ଏହି ଭିଡିଓରେ ମନ୍ତ୍ରୀ ନବ ଦାସ ପହଞ୍ଚିବା କ୍ଷଣି ତାଙ୍କ କାର ଡୋର ସାମ୍ନାରେ ଆସି ଛିଡା ହୋଇଯାଉଛି ଗୋପାଳ । ଆଉ ବନ୍ଧୁକ ବାହାର କରିବାକୁ ପ୍ରସ୍ତୁତ ହେଉଛି । ତେବେ ବର୍ଦ୍ଦିରେ ଥିବା ଗୋପାଳ ନିଜ ସର୍ଭିସ ରିଭଲଭରରୁ ଗୋଟିଏ ଗୁଳି ସିଧା ନବଙ୍କ ଛାତିକୁ ଲକ୍ଷ୍ୟ କରି ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ମନ୍ତ୍ରୀ ନବଦାସ । ପଛକୁ ଝୁଙ୍କିପଡି ପୁଣି ଉଠିବାକୁ ଚେଷ୍ଟା କଲେ ବି ଉଠି ପାରିନଥିଲେ । ତାପରେ ସମର୍ଥକ ତାଙ୍କୁ ଉଠାଇ ନେଇଥିଲେ । ନବଙ୍କୁ ଗୁଳି କରି ଗୋପାଳ ଖସିଯିବା ବେଳେ ତାକୁ କାବୁ କରିନେଇଥିଲେ ସମର୍ଥକ ଓ ପୋଲିସ ଜିମା ଦେଇଥିଲେ । ଆଉ ସେ ଗୁଳି କରିଥିବା ବନ୍ଧୁକ ମଧ୍ୟ ଛଡାଇ ନେଇଥିଲା ପୋଲିସ ।

ଏବେ ପ୍ରଶ୍ନ ଉଠୁଛି….

  • ନବ ଦାସ ହତ୍ୟାକାଣ୍ଡକୁ ୩ ସପ୍ତାହରୁ ଅଧିକ ହେଲାଣି, ଏତେ ଦିନ ପରେ ଏହି ଫଟୋ କାହିଁକି ସାମ୍ନାକୁ ଆସିଲା?
  • ଭାଇରାଲ ହେଉଥିବା ଏହି ଫଟୋଟି କିଏ ଓ କେଉଁ ଉଦ୍ଦେଶ୍ୟରେ ଏବେ ସାମ୍ନାକୁ ଆଣିଲେ?
  • ଗୋପାଳ ହିଁ ଏକା ହତ୍ୟା କରିଥିବା ଦର୍ଶାଇ ଏହା ପଛର ଷଡ ଯନ୍ତ୍ରକାରୀଙ୍କୁ ସୁର କ୍ଷା ଦେବାକୁ ଉଦ୍ୟମ ହେଉନାହିଁ ତ?