ସଙ୍କଟରେ ପାକିସ୍ତାନ ସରକାର: ଅନାସ୍ଥା ପ୍ରସ୍ତାବ ସମ୍ମୁଖୀନ ହେବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ହାତ ଛାଡିଲା ପାକ ସେନା

252

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା କମ ହେବା ନା ନେଉନି । ।ଚାରିଆଡୁ ଇମ୍ରାନଙ୍କ ଆଡକୁ ଯେଉଁଭଳି ଭାବେ ସମସ୍ୟା ମାଡି ଆସୁଛି ସେଥିରୁ ଗୋଟେ କଥା ଅନୁମାନ ଲଗାଯାଉଛି କି ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ପଦ କେଉଁ ସମୟରେ ବି ହାତରୁ ଖସିପାରେ । ବିରୋଧୀ ଦଳ ଏକଜୁଟ ରହିଛନ୍ତି ସେପଟେ ସେନା ମୁଖ୍ୟ କମର ବାଜୱା ମଧ୍ୟ ଇମ୍ରାନଙ୍କ ଉପରେ ଅସନ୍ତୋଷ ଥିବା ଘଟଣା ଏବେ ଇମ୍ରାନଙ୍କ ଉପରେ ସଙ୍କଟର କଳାବାଦଲ ସୃଷ୍ଟି କରିଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ଇମ୍ରାନଖାନ ଖୁବ ଶ୍ରୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ପାକିସ୍ତାନ ସେନା ଇସାରେ ଦେଇଛି । ମଙ୍ଗଳବାର ଓ ବୁଧବାର ପାକିସ୍ତାନରେ ଅରଗାନାଇଜେସନ ଅଫ ଇସଲାମିକ କର୍ପୋରେସନ ର ବୈଠକ ହେବାକୁ ଅଛି । ଏବଂ ବୈଠକ ଶେଷ ହେବା ପରେ ଇମରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପାକିସ୍ତାନ ସେନାର ଉଚ୍ଚ ପଦସ୍ତ ଅଧିକାରୀ ମାନେ କହିଥିବା ଜଣାପଡିଛି । ଇମ୍ରାନଙ୍କୁ ପଦରୁ ହଟେଇବା ପାଇଁ ଏହି ନିଷ୍ପତି ପାକିସ୍ତାନ ସେନା ପ୍ରମୁଖ କମର ଜାଭେଦ ବାଜବାଙ୍କ ସମେତ ସେନାର ବଡ ଅଧିକାରୀ ନେଇଥିବା ଜଣାପଡିଛି ।

ଏହା ଭିତରେ ଗୋଟେ ପ୍ରଶ୍ନ ଉଠୁଛି କି ସତରେ କଣ ପାକିସ୍ତାନରେ ଇତିହାସର ପୁନରାବୃତି ହେବ କି? ପୁଣି କଣ କୌଣସି ସରକାର ନିଜର କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ପଦବୀ ହରାଇବେ କି?ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ରହିବ ନା ଭାଙ୍ଗିବ? ସେପଟେ ପ୍ରଧାନମନ୍ତ୍ରୀ ପଦବୀ ହରାଇବା ଆଶଙ୍କା ଭିତରେ ନିଜ ସମର୍ଥକଙ୍କୁ ବାର୍ତା ଦେଇଛନ୍ତି ଇମ୍ରାନ । ବାର୍ତାରେ ଇମ୍ରାନ କହିଛନ୍ତି ଦେଶର ବେଇମାନ ଓ ବିଶ୍ୱାସଘାତକ ତାଙ୍କୁ ଫଶାଇବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ବାଗୀ ସାଂସଦଙ୍କ ଅସନ୍ତୋଷ ଆଉ ଏବେ ସେନାର ସାଥ ଛାଡିବା ପରେ ଇମ୍ରାନଙ୍କ ସମସ୍ୟା ଦ୍ୱିଗୁଣ ହୋଇଛି । ଏଭଳି ସ୍ଥିତିରେ ଅନ୍ଦାଜା ଲଗାଯାଉଛି କି ଇମ୍ରାନଙ୍କ ସ୍ଥାନରେ ବୈଦେଶିକମନ୍ତ୍ରୀ ମହମ୍ମଦ ଖୁରେସୀ କିମ୍ବା ପରଭେଜ ଘଟକ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଖୋଦ୍ ଇମ୍ରାନ ଖାନଙ୍କ ନିଜ ଦଳ ପିଟିଆଇ ବା ପାକିସ୍ତାନ ତେହରିକ-ଏ-ଇନସାଫରେ ବିଦ୍ରୋହ ଦେଖାଦେଇଛି । ଦଳର ପ୍ରାୟ ଦୁଇ ଡଜନ ସାଂସଦ ଖୋଲାଖୋଲା ଭାବେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ ପକ୍ଷରୁ ୨୪ଜଣ ନିର୍ବାଚିତ ସଦସ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଘୋଷଣା କରିଛନ୍ତି ।ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମାର୍ଚ୍ଚ ୨୮ତାରିଖରେ ଭୋଟିଂ ହେବ । ପାକିସ୍ତାନରେ ଦେଖାଦେଇଥିବା ବେଲଗାମ ଦରଦାମ ଯୋଗୁଁ ଇମ୍ରାନଙ୍କୁ ଦାୟି କରି ବିରୋଧୀ ଦଳ ନେତାମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପିଏମଏଲଏନ ବା ପାକିସ୍ତାନ ମୁସଲିମ ଲିଗ ନୱାଜ ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ପାକିସ୍ତାନରେ ରାଜନୈତିକ ସଂକଟ ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ବିଦେଶୀ ନିତୀକୁ ପ୍ରଶଂସା କରିଛନ୍ତି । ଖୈବର-ପଖତୁନଖାବ୍ରେ ଦଳୀୟ ସମାବେଶକୁ ସମ୍ବୋଧନ କରି ଭାରତକୁ ହୃଦୟ ଖୋଲା ପ୍ରଶଂସା କରିଛନ୍ତି । ଖାସ କରି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଆପଣେଇ ଥିବା ବିଦେଶ ନୀତିକୁ ସଲାମ କରିଛନ୍ତି ଇମ୍ରାନ ଖାନ ।

ଚର୍ଚ୍ଚା ହେଉଛି ଇମ୍ରାନ ଖାନ ସରକାରଙ୍କ ପାଇଁ ଖରାପ ସମୟ ଆରମ୍ଭ ହୋଇଯାଇଛି ଓ ସେ ଅଳ୍ପ ଦିନ ଶାସନରେ ରହିବେ । ଫଳରେ ଇମ୍ରାନଙ୍କ ପାଇଁ ନିଜ ଗାଦି ସୁରକ୍ଷା କରିବା ଏକ ବଡ ଚ୍ୟାଲେଂଜ ହୋଇଛି ।