ଅଗ୍ନିପଥ ଯୋଜନାକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ: ସରକାର କହିଲେ ଯୁବବର୍ଗ ପାଇଁ ଏହି ଯୋଜନା ଏକ ସୁବର୍ଣ୍ଣ ସୁଯୋଗ

103

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଜଳୁଛି ସାରା ଦେଶ । ପୂର୍ବରୁ ପଶ୍ଚିମ, ଉତରର ଦକ୍ଷିଣ ।ସବୁଠି ପ୍ରତିବାଦର ନିଆଁ । ସରକାର ଯେବେଠୁ ଏହି ଯୋଜନା ଲଂଚ କରିଛନ୍ତି ସେବେଠୁ ବିରୋଧୀଦଳଙ୍କଠୁ ନେଇ ପୂର୍ବତନ ସେନାଅଧିକାରୀ ଏହାକୁ ବିରୋଧ କରି ଆସୁଛନ୍ତି । ସେପଟେ ନିଜ ପକ୍ଷ ରଖିଛନ୍ତି ସରକାର । ଏହି ଯୋଜନାର ଲାଭ କଣ, କି ସୁବିଧା ମିଳିବ ସେନେଇ ସରକାର ଲିଖିତ ଓ ବୟାନ ଆକାରରେ ବୁଝାଇବା ଜାରି ରଖିଛନ୍ତି । ଆସନ୍ତୁ ନଜର ପକାଇବା କିଭଳି ଯୋଜନାକୁ ନେଇ ସରକାର କିଭଳି ନିଜର ପକ୍ଷ ରଖୁଛନ୍ତି ବିରୋଧୀ କିଭଳି ପ୍ରତିବାଦ କରୁଛନ୍ତି ।

ଅଗ୍ନିପଥ ଯୋଜନା । ସେନା ଭର୍ତି ପାଇଁ ସରକାର ଜୁନ ୧୪ କରିଥିଲେ ଏହି ବଡ ଘୋଷଣା । ଘୋଷଣାର କିଛି ଘଂଟା ନପୁରୁଣ ଆରମ୍ଭ ହେଲା ବିରୋଧ ପ୍ରତିବାଦ । କ୍ରମଶ ଏହା ଉଗ୍ର ରୂପରେ ସାରା ଦେଶରେ ବ୍ୟାପିଚାଲିଛି । ଗୋଟେ ପଟେ ବିରୋଧୀ ନେତା, ପୂର୍ବତନ ସେନାଅଧୀକାରୀ ଓ କିଛି ବୁଦ୍ଧିଜୀବି ସରକାରଙ୍କ ଏହି ଯୋଜନାକୁ ପ୍ରବଳ ବିରୋଧ କରୁଥିବାବେଳେ ସେପଟେ ଯୋଜନାର ଲାଭ, ସୁବିଧା ଓ ଭବିଷ୍ୟତରେ କଣ ମିଳିବ ଫାଇଦା ସେକଥା ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି ସରକାର । ଅଗ୍ନିପଥ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନାମୁଖ୍ୟ କହିଛନ୍ତି ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଂଚିନାହିଁ ସଠିକ୍ ସୂଚନା । ଥରେ ତାଙ୍କ ପାଖରେ ଏନେଇ ଉପଯୁକ୍ତ ସୂଚନା ପହଂଚିଗଲେ ସେମାନେ ଏହି ଯୋଜନା ଉପରେ ଭରସା କରିବା ସହ ଏହାର ଲାଭ ସମ୍ପର୍କରେ ଜାଣିପାରିବେ ।

ଅଗ୍ନିପଥ ଯୋଜନାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରି ନିଜର ମତ ରଖିଛନ୍ତି । ସରକାରଙ୍କ ଏହି ଯୋଜନା ଦେଶର ଯୁବକଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହେବ । ଯୋଜନା ଦ୍ୱାରା ଦେଶସେବା କରିବା ପାଇଁ ମୌକା ମିଳିବ ଓ ଯୁବକଙ୍କ ପାଇଁ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ ବୋଲି ଅମିତ ଶାହା କହିଛନ୍ତି । ସାରା ଦେଶରେ ଏହି ଯୋଜନାକୁ ନେଇ ବଡ ଧରଣର ବିରୋଧ ଚାଲିଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୟାନ ମଧ୍ୟ ସାମ୍ନାକୁ ଆସିଛି । ରାଜନାଥ କହିଛନ୍ତି ଯେ କୋଭିଡ କାରଣରୁ ଗତ ଦୁଇବର୍ଷ ଧରି ସେନାରେ ନିଯୁକ୍ତି ପ୍ରକିୟା ପାଇଁ ଯୁବକଙ୍କୁ ମୌକା ମିଳିନଥିଲା ।ଏହି ଭର୍ତି ପ୍ରକିୟା ଜରିଆରେ ଯୁବକଙ୍କୁ ଦେଶସେବା ପାଇଁ ମୌକା ମିଳିବ । ଦେଶର ଯୁବକଙ୍କୁ ଅପିଲ କରି ରାଜନାଥ କହିଛନ୍ତି କି ସେନାରେ ଭର୍ତି ହେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ସେପଟେ ବିଜେପି ନେତା ଗୀରିରାଜ ସିଂ ବିରୋଧୀ ଉପରେ ଅଭିଯୋଗ କରିଛନ୍ତି । ବିଜେପି ନେତା କହିଛନ୍ତି କି ଜିଏସଟି, ବିମୁଦ୍ରାକରଣ, ଚାଷୀ ଆଇନ ପ୍ରସଙ୍ଗ ପରି ଏଥରକ ମଧ୍ୟ ବିରୋଧୀ ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଭ୍ରମ ଓ ଅଶାନ୍ତ କରୁଛନ୍ତି ।

ଯୋଜନାକୁ କେବଳ ଯୁବଗୋଷ୍ଠୀ କି ପୂର୍ବତନ ସେନା ଅଧିକାରୀ ବିରୋଧ କରୁ ନାହାଁନ୍ତି ବଂର ବିରୋଧୀ ମଧ୍ୟ ନାପସନ୍ଦ କରୁଛନ୍ତି । ବିଭିନ୍ନ ଦଳର ନେତା ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଆଉ କିଛି ସମାଲୋଚନା ଜାରି ରଖିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ କଥା ଶୁୁଣୁ ନାହାଁନ୍ତିି । ନିଜ ସାଥୀଙ୍କ କଥା ଶୁଣି ଯେଉଁ ସବୁ ସ୍କିମ ଆଣୁଛନ୍ତି ତାହା ଜନତାଙ୍କ ହିତ ପାଇଁ ନୁହେଁ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରିୟଙ୍କା କହିଛନ୍ତି କେନ୍ଦ୍ର ସରକାରଙ୍କ ଏହା ମନମାନୀ ଫଇସଲା । ସରକାର କିଭଳି ବିନା ଆଲୋଚନା ଓ ପରାର୍ମଶରେ ଏଭଳି ସମ୍ବେଦନଶୀଳ ମାମଲାରେ ଏକାକୀ ଫଇସଲ ନେଇଛନ୍ତି ? ସହଯୋଗୀ ଦଳ ଜେଡିୟୁ ମଧ୍ୟ ଅଗ୍ନିପଥ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି । ଜେଡିୟୁ ମୁଖ୍ୟ ନୀତିଶ କୁମାର ନିଜ ମତାମତ ରଖି କହିଛନ୍ତି ଏହି ଯୋଜନା ଉପରେ ପୁଣି ବିଚାର କରିବାକୁ କହିଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ ସରକାରଙ୍କୁ ଅପିଲ କରି ଯୋଜନା ଉପରେ ପୁର୍ନବିଚାର କରିବାକୁ କହିଛନ୍ତି । ଏହି ଯୋଜନା ବିଶେଷ କରି ଗ୍ରାମୀଣ ଯୁବକଙ୍କ ପାଇଁ କ୍ଷତିକାରକ ହେବ ବୋଲି ମାୟାବତୀ ନିଜର ମତ ରଖିଛନ୍ତି ।