ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଗଠନ କଲା ମ୍ୟାନେଜମେଂଟ ଟିମ୍: ୧୪ ଜଣିଆ ଟିମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମିଲ୍ 

309

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଓ ବିରୋଧୀ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ଏହାରି ଭିତରେ ବିଜେପି ଏକ ମ୍ୟାନେଜମେଂଟ ଟିମ୍ ଗଠନ କରିଛି, ଯେଉଁଥିରେ ୧୪ ନେତାଙ୍କ ନାଁ ସାମିଲ୍ ରହିଛି । ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଟିମରେ କେନ୍ଦ୍ର ମନ୍ତ୍ରୀ ଓ ଦଳର ନେତାମାନଙ୍କୁ ସ୍ଥାନ ମିଳିଛି । ବିଜେପି ତା’ର ଟିମରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, କିଷନ ରେଡ୍ଡି, ସର୍ବାନନ୍ଦ ସୋନୋୱାଲ, ଅଶ୍ୱିନୀ ବୈଷ୍ଣବ ଓ ଭାରତୀ ପାୱାର ସମେତ ୧୪ ନେତାଙ୍କୁ ମ୍ୟାନେଜମେଂଟ ଟିମରେ ସାମିଲ୍ କରିଛି ।

ଏହି ନେତାମାନେ ନିର୍ବାଚନରେ ସମସ୍ତ ପ୍ରମୁଖ କାର୍ଯ୍ୟ ବହନ କରିବେ । ଅନ୍ୟପକ୍ଷରେ ମମତା ବାନାର୍ଜୀ ଜୁନ୍ ୨୧ ତାରିଖରେ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାଁ ଚୟନ ପାଇଁ ବିରୋଧୀ ଦଳଗୁଡ଼ିକ ସହ ବୈଠକ କରିବେ । ସେପଟେ ବିଜେପି, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । କାରଣ ଦକ୍ଷିଣ ଭାରତରେ ନିଜର ଭୋଟବ୍ୟାଙ୍କ ବଢାଇବାକୁ ବିଜେପି ଜଣେ ଦକ୍ଷିଣ ଭାରତୀୟ ଚେହେରା ଭାବରେ ଭେଙ୍କେୟା ନାଇଡୁଙ୍କୁ ଆଗକୁ ଆଣିବାକୁ ଚାହୁଁଛି ।