ରାଜ୍ୟରେ ବଢୁଛି ମନ୍ତ୍ରୀଙ୍କୁ ବିରୋଧୀଙ୍କ ବିରୋଧ । ଧାମନଗରରେ ପ୍ରମିଳା ଓ ମହାକାଳପଡାରେ ଅତନୁଙ୍କୁ ବିରୋଧ ପରେ, ଆଜି ଆଠଗଡରେ ରଣେନ୍ଦ୍ରଙ୍କୁ କଳାପତାକା ଦେଖାଇଲେ ବିରୋଧୀ

74

କନକ ବ୍ୟୁରୋ: ରାଜନୀତିରେ ବିରୋଧର ଚ୍ୟାଲେଞ୍ଜ । ଧାମନଗରର କାଁପଡାରେ ବୁଧବାର ଦିନ ବିରୋଧର ସାମ୍ନା କରିଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁଣି ସେଠାରେ ସଭା କରିଛନ୍ତି । କାଁପଡା ହେଉଛି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଓ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ନିଜ ଗାଁ । ଏହି ଗାଁରେ ପୁଣି ସଭା କରି ରାଜେନ୍ଦ୍ର ଦାସଙ୍କ ସମର୍ଥକ ଓ ବିଜେପି ଉପରେ ବର୍ଷିଛନ୍ତି ପ୍ରମିଳା ମଲ୍ଲିକ । ସେପଟେ ଆଠଗଡ଼ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିବା ବେଳେ ନିଜ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

  • ମନ୍ତ୍ରୀଙ୍କୁ ବିରୋଧ
  • ବିକ୍ଷୋଭ, ନାରାବାଜି, କଳାପତାକା ପ୍ରଦର୍ଶନ

ଗତ କିଛି ଦିନ ହେଲା କମି ଯାଇଥିବା ନେତାଙ୍କୁ ବିରୋଧ ପୁଣି ଥରେ ଜୋର ଧରିଛି । ଦୁଇ ଦିନ ଭିତରେ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ କ୍ୟାବିନେଟର ୪ ମନ୍ତ୍ରୀ ।

ବୁଧବାର ଧାମନଗରର କାଁପଡାରେ ପ୍ରଚାର ପାଇଁ ପହଁଚିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀଙ୍କ ଦେଖି ଲୋକେ ତାଙ୍କୁ ଘେରି ଯାଇଥିଲେ । ମନ୍ତ୍ରୀ କାର ଭିତରେ ବସିଥିଲେ । ଆଉ ବାହାରେ ଥିବା ଲୋକମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ତାଙ୍କ ବିରୋଧରେ ନାରାବାଜି କରିଥିଲେ । ଆଉ ସେହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଅବଶ୍ୟ ଗୁରୁବାର ପୁଣି ଥରେ ସେହି ସ୍ଥାନରେ ଯାଇ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରମିଳା । ସଭା କରି ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ କର୍ମୀଙ୍କ ଉପରେ ବର୍ଷିଛନ୍ତି ପ୍ରମିଳା । ତେବେ ଗାଁରେ ଛକାପଞ୍ଝା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପଟେ ଗୁରୁବାର ମହାକାଳପଡାର ତନ୍ତିଆପାଳ ଅଞ୍ଚଳରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ତନ୍ତିଆପାଳରେ ସେତୁ ଉଦଘାଟନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଯାଇଥିବା ବେଳେ ମନ୍ତ୍ରୀଙ୍କୁ ଘେରିଯାଇଥିଲେ ମହିଳା । ଜମ୍ବୁ ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ ଆଣି ମହିଳାମାନେ ମନ୍ତ୍ରୀଙ୍କ କାରକୁ ଅଟକାଇଥିଲେ । ପୁଲିସ ବିରୋଧରେ ନାରାବାଜି କରିଥିଲେ । ଶେଷରେ ମନ୍ତ୍ରୀ କାରରୁ ଓହ୍ଲାଇ ବାଇକରେ ଉଦଘାଟନୀ କାର୍ଯ୍ୟକମ ସ୍ଥଳକୁ ଯାଇଥିଲେ ।

ଏପଟେ ଶୁକ୍ରବାର ଆଠଗଡ଼ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଚାନ୍ଦବାଲି ଛକରେ କଂଗ୍ରେସ କର୍ମୀମାନେ ୨ ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ସହିତ ନାରାବାଜି କରିଛନ୍ତି । ଘଟଣାକୁ ନେଇ ତ୍ରୀବ ଉତେଜନା ସୃଷ୍ଟି ହୋଇଛି । ପୁଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ କଳାପତାକା ପ୍ରଦର୍ଶନକାରୀଙ୍କୁ ଆକ୍ରମଣ କରିଛନ୍ତି । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଠେଲା ପେଲା ହୋଇଥିଲା । ଘଟଣାରେ କଂଗ୍ରେସ କାଉନସିଲର ମନୋରଂଜନ ପଟ୍ଟନାୟକ ଆହତ ହୋଇଥିବା ସୂଚନା ରହିଛି । ଆଠଗଡ଼ ବସଷ୍ଟାଣ୍ଡର ଉଦଘାଟନ ଉତ୍ସବରେ ଯୋଗ ଦେବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ଓ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସିଥିଲେ । ଏହି ସମୟରେ ଚାନ୍ଦବାଲି ଛକଠାରେ କଂଗ୍ରେସ କର୍ମୀମାନେ ୨ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ।