ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶଙ୍କ ନିର୍ବାଚନୀ ସତ୍ୟପାଠରେ ତ୍ରୁଟି ଥିବା ଅଭିଯୋଗ । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ଆଣିଲେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ

718

କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶଙ୍କ ନିର୍ବାଚନୀ ସତ୍ୟପାଠରେ ତ୍ରୁଟି ଥିବା ଅଭିଯୋଗ । ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଭଳି ଅଭିଯୋଗ ଆଣିଛନ୍ତି । ଏନେଇ ପୂର୍ବରୁ ଇଲେକ୍ସନ୍ ଏଜେଣ୍ଟ ପ୍ରଦୀପ ବୋହିଦାର ଆବେଦନ ମଧ୍ୟ କରିଥିଲେ । ବବି ଦାସ ୩ଟି ଗ୍ରାଉଣ୍ଡରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ରିଟର୍ଣ୍ଣିଂ ଅଫିସରଙ୍କୁ କହିଥିବା କହିଛନ୍ତି ପିତାମ୍ବର । ବବି ଦାସ ୨୦୦୯ ମସିହାରେ ବିଧାନସଭା ନିର୍ବାଚନ ସମୟରେ ଯୁକ୍ତ ଦୁଇ କଳା ପଢିଥିବା ଦର୍ଶାଇଥିବାବେଳେ ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିବା ଦର୍ଶାଇଥିବା ଅଭିଯୋଗ ହୋଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ନିଜ ଆୟ ଶୂନ୍ୟ ବୋଲି ଦର୍ଶାଇଥିଲେ ପ୍ରଣବ ଦାସ । ଯାହାକୁ ନେଇ ପିତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରଣବ ଦାସ ବିଧାୟକ ଭାବେ ଦରମା ଓ ଭତ୍ତା ନେଇ ନାହାଁନ୍ତି କି? ପୂର୍ବରୁ ମିଥ୍ୟା ସତ୍ୟପାଠ ମାମଲାରେ ନିର୍ବାଚିତ ପ୍ରତିନିଧିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଆଗକୁ ବିଜେପି ମଧ୍ୟ ଉପଯୁକ୍ତ ଫୋରମରେ ଏହି କଥା ଉଠାଇବ ବୋଲି ସେ କହିଛନ୍ତି ।