ଆଶ୍ଚର୍ଯ୍ୟ କଲା ଆମାଜନ ଜଙ୍ଗଲ । ୪୦ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର ହେଲେ ୪ଜଣ ଶିଶୁ

649

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାର କିଏ । ଏହି ଉକ୍ତିର ସତ୍ୟତା ପୂଣି ଦେଖିବାକୁ ମିଳିଛି । କଲମ୍ବିଆରରୁ ୪୦ଦିନ ପରେ ଉଦ୍ଧାର ହୋଇଛନ୍ତି ୪ଜଣ ଶିଶୁ । ଘଂଚ ତଥା ବିଶାଳ ଆମାଜନ ଜଙ୍ଗଲରୁ ସବୁ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ୪, ୯, ୧୧ ଓ ୧୩ବର୍ଷ ବୋଲି ଜଣାପଡିଛି । ହ୍ରିଂସ ଜୀବଜନ୍ତୁଙ୍କ ଗହଣରେ, ବିନା ଖାଦ୍ୟପାଣିରେ ୪୦ଦିନ ଧରି କିଭଳି ଏମାନେ ଜୀବିତ ରହିଲେ ଏ ଘଟଣା ଯେତିକି ଆଶ୍ଚର୍ଯ୍ୟ କରୁଛି ମନରେ ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି ।

ସୂଚନା ମୁତାବକ ମେ ୧ ତାରିଖରେ ଏକ ଚାର୍ଟାଡ ବିମାନ ଦୁର୍ଘଟଣାଗସ୍ତ ହୋଇ ଜଙ୍ଗଲକୁ ଖସିପଡିଥିଲା ଓ ଏହି ଶିଶୁମାନେ ସେଥିରେ ଯାତ୍ରା କରୁଥିଲେ । ବିମାନରେ ପାଇଲଟ, ସହପାଇଲଟ, ଶିଶୁଙ୍କ ମା ଓ ଅନ୍ୟ ଦୁଇ ବ୍ୟକ୍ତି ଥିଲେ । ସର୍ଚ୍ଚ ଅପରେସନ ସମୟରେ କେବଳ ୩ଜଣଙ୍କ ଶବ ମିଳିଥିବାବେଳେ ତେବେ ଅନ୍ୟ ସଦସ୍ୟଙ୍କ କୌଣସି ଖୋଜଖବର ନଥିଲା । ଏପରିକି ଶିଶୁଙ୍କ ମଧ୍ୟ କୌଣସି ପତା ମିଳିପାରିନଥିଲା । ସ୍ଥାନୀୟ ଆଦିବାସୀଙ୍କ ସହାୟତାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ଘଟଣାସ୍ଥଳରୁ ୫କିଲୋମିଟ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରିଥିଲା ସେନା । ଏହି ସମୟରେ କିଛି ଶିଶୁ ଖାଦ୍ୟ, ଖେଳନା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ସେନା ହାତରେ ଲାଗିଥିଲା ।

ଏହି ସୁରାକକୁ ଆଧାର କରି ୧୫ଦିନର ସର୍ଚ୍ଚ ଅପରସେନ ପରେ ୪ଜଣ ଶିଶୁଙ୍କୁ ଘଂଚ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ସବୁଠୁ ରୋଚକ କଥା ହେଉଛି ଶିଶୁଙ୍କ ଜେଜେମାଙ୍କ ଏକ ଅଡିଓ ମେସେଜକୁ ମଧ୍ୟ ବ୍ୟବହାର କରି ଶିଶୁଙ୍କ ନିକଟରେ ପହଁଚିବାକୁ ସେନା ପ୍ରୟାସ କରିିଥିଲା । କଲୋମ୍ବିଆ ସେନା ପକ୍ଷରୁ ଉଦ୍ଧାର ଶିଶୁଙ୍କ ଫଟୋ ଓ ଭିଡିଓ ଜାରି କରାଯାଇଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତିକରାଯାଇ ଚିକତ୍ସା କରାଯାଉଛି ।