କରୋନାର କରାଳ ରୂପ । ୨୪ ଘଂଟାରେ ମୁମ୍ବାଇରେ ୧୫ ହଜାର ଓ ଦିଲ୍ଲୀରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ

126

କନକ ବ୍ୟୁରୋ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପୁଣିଥରେ କରୋନା କବଳରେ କବଳିତ ହୋଇଛି । ବୁଧବାର ଦିନ ମୁମ୍ବାଇରେ ୧୫,୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସହରରେ ପଜିଟିଭ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ସହରରେ ୮୭ ପ୍ରତିଶତ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଏହାସହ ମୁମ୍ବାଇରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ସହରରେ ଏବେ ଆକ୍ଟିଭ ମାମଲା ୬୧,୯୨୩ କୁ ବୃଦ୍ଧି ପାଇଛି   ।

ମୁମ୍ବାଇ ମେୟର କିଶୋରୀ ପେଡନେକର ମଙ୍ଗଳବାର ଦିନ କହିଛନ୍ତି କି ଯଦି ଆଗକୁ ମୁମ୍ବାଇରେ ଦୈନିକ ସଂକ୍ରମଣ ୨୦ ହଜାର ପାର କରେ ତେବେ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ସହରରେ ଲକଡାଉନ ଘୋଷଣା କରାଯିବ । ଅନ୍ୟପଟେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ମୁମ୍ବାଇ ବିମାନବନ୍ଦରରେ ଉହ୍ଲାଉଥିବା ସମସ୍ତ ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ରାପିଡ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛି ।

ସେହିଭଳି ଦେଶର ରାଜନୈତିକ ରାଜଧାନୀ କୁହାଯାଉଥିବା ଦିଲ୍ଲୀରେ ବି କରୋନାର ବିସ୍ଫୋଟକ ରୂପ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମଣରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦,୬୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମଣ ହାର ୧୧.୮୮ କୁ ବୃଦ୍ଧି ପାଇଛି ।

ସେପଟେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କଟକଣା କଡାକଡି କରିଛନ୍ତି । ଦିଲ୍ଲୀରେ ଏବେ ସପ୍ତାହାନ୍ତ କର୍ଫ୍ୟୁ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ଘରୋଇ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚଲାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ କୌଣସି ସେବାକୁ କରୋନା କଟକଣାରୁ ଛାଡ କରାଯିବ ନାହିଁ ବୋଲି ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ।